ବୃଦ୍ଧଙ୍କଠାରୁ ଲୁଟିନେଲେ ୫୦ ହଜାର ଟଙ୍କା

ତିହିଡ଼ି, ୨୦।୧୨ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା କଁାପଡ଼ା ପଞ୍ଚାୟତ ଅଧୀନ ମଠସାହି ଗ୍ରାମର ଧନୀ ମଳିକ ନାମକ ଜଣେ ବୃଦ୍ଧ ଶୁକ୍ରବାର ମଧ୍ୟାହ୍ନରେ ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟେରାମାନେ ତାଙ୍କଠାରୁ ୫୦ହଜାର ଟଙ୍କା ଲୁଟି ନେଇଛନ୍ତି। ସେ ଏ ନେଇ ତିହିଡ଼ି ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଚଳାଇଛି। ଧନୀ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ଗାନ୍ଧିନଗର ସମବାୟ ସମିତିରୁ ୫୦ହଜାର ଟଙ୍କା ଆଣି କାର୍ଯ୍ୟରେ ତହସିଲ କାର୍ଯ୍ୟାଳୟକୁ ଯାଉଥିଲେ। ଅଫିସ୍‌ ପାଖରେ ଦୁଇଜଣ ଯୁବକ ତାଙ୍କ ଡ୍ରେସ ଉପରକୁ ଅଠା ଫିଙ୍ଗି ଦେଇଥିଲେ। ପରେ ସେହି ଯୁବକଦ୍ୱୟ ତାଙ୍କୁ ଡ୍ରେସ ଧୋଇଦେବାକୁ କହିଥିଲେ। ଟଙ୍କା ଥିବା ବ୍ୟାଗ୍‌ ଏକ ନଳକୂପ ପାଖରେ ରଖି ସେ ଡ୍ରେସ୍‌ରୁ ଅଠା ସଫା କରୁଥିବାବେଳେ ସେମାନେ ଟଙ୍କା ବ୍ୟାଗ ନେଇ ବାଇକ୍‌ରେ ପଳାଇ ଯାଇଥିଲେ।