ବୃଦ୍ଧଙ୍କୁ ହତ୍ୟା ଘଟଣା:ନଦୀପଠାରେ ପୋତିଥିବା କଟାମୁଣ୍ଡ ଉଦ୍ଧାର

ମୋହନା,୧୫ା୧୧(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ମେରାପଲ୍ଲୀ ପଞ୍ଚାୟତରେ ଗୁଣିଗାରେଡି ସନ୍ଦେହରେ ମଙ୍ଗଳବାର ଅପରାହ୍ନରେ ଦାସୁ ମଳିକଙ୍କୁ ହତ୍ୟା କରାଯାଇଥିଲା। ବୁଧବାର ଥାନାରେ ଅଭିଯୋଗ ପରେ ନଂ.୨୦୨/୧୯ରେ ଏକ ହତ୍ୟା ମାମଲା ରୁଜୁକରି ପୋଲିସ ବେଣୀପଦରର ସାନୁଜ ମଳିକଙ୍କୁ ଗିରଫ କରିଥିଲା। ଗୁରୁବାର ସାନୁଜଙ୍କୁ ମାଜିଷ୍ଟ୍ରେଟ ତଥା ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ଉପସ୍ଥିତିରେ ଘଟଣାସ୍ଥଳକୁ ନିଆଯାଇଥିଲା। ସେଠାରେ ସେ କିପରି ହତ୍ୟା କରିଥିଲେ ତାହାର ଡେମୋ ଦେଖାଇବା ସହ ନଦୀତୁଠରେ ବାଲିରେ ପୋତିଥିବା କଟାମୁଣ୍ଡ ଖୋଳି ବାହାର କରିଥିଲେ। ଏହାପରେ ସେ ନିକଟସ୍ଥ ଏକ ବୁଦାରୁ ହତ୍ୟାକାଣ୍ଡରେ ବ୍ୟବହୃତ କାତିକୁ ମଧ୍ୟ ପୋଲିସକୁ ଦେଇଥିବା ମୋହନା ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଆର୍‌. ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି। ସାନୁଜଙ୍କ ଜଣେ ନାବାଳକ ଭାଇଙ୍କୁ ପୋଲିସ ଏହି ଘଟଣାରେ ପାରଳାଖେମୁଣ୍ଡି ବାଳସୁଧାର ଗୃହକୁ ପଠାଇଛି। ପ୍ରକାଶ ଯେ, ଭାଲିଆସାହି ଗ୍ରାମର ଦାସୁ ବହୁଦିନ ହେଲା ଅଞ୍ଚଳର ଲୋକଙ୍କ ଦେହ ଖରାପହେଲେ ଚେରମୂଳି ଔଷଧ ଦେବା ସହ ଝଡାଫୁଙ୍କା କରିଥାନ୍ତି। କିନ୍ତୁ ବେଣୀପଦର ଗ୍ରାମର ସାନୁଜ ଓ ଅନ୍ୟ କେତେଜଣ ତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ କିଛିଦିନ ତଳେ ଧମକ ଦେଇଥିଲେ। ଦାସୁ ଥାନାରେ ଅଭିଯୋଗ କରିବା ପରେ ଏହାର ଆପୋସ ସମାଧାନ ହୋଇଥିଲା। ମଙ୍ଗଳବାର ଦାସୁ ମକାବାଡକୁ ଯାଇଥିବାବେଳେ ସାନୁଜ ଓ ନାବାଳକ ଭାଇ ସେଠାରେ ପହଞ୍ଚତ୍ କାତିରେ ବେକକୁ ହାଣି ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ। ପରେ କଟାମୁଣ୍ଡକୁ ନିକଟସ୍ଥ ନଦୀ ପଠା ବାଲିରେ ପୋତି କାତିଟିକୁ ମକାବାଡ ନିକଟ ବୁଦାରେ ଲୁଚାଇ ଫେରାର ହୋଇଯାଇଥିଲେ ବୋଲି ଏସ୍‌ଡିପିଓ ମହାନ୍ତି ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ। ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।