ବୃଦ୍ଧଙ୍କ ମୃତଦେହକୁ ମିଳିଲାନି କାନ୍ଧ: ସାଇକେଲରେ ଗଲେ ଶ୍ମଶାନ

କଣିହାଁ,୧୧।୯(ଡି.ଏନ.ଏ.)-କୁହାଯାଏ ଅସହାୟଙ୍କୁ ସରକାର ସାହାଭରସା। ହେଲେ ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍‌ କଲୋନୀରେ ମଙ୍ଗଳବାର ଘଟିଥିବା ଏକ ଘଟଣା ସରକାରୀ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କଲୋନୀରେ ରହୁଥିବା ଜଣେ ଅସହାୟ ବୃଦ୍ଧଙ୍କ ମୃତ୍ୟୁ ଖବର ରେଙ୍ଗାଳି ପୋଲିସ ପାଇଥିଲେ ମଧ୍ୟ ସହାୟତା କରିବା ପରିବର୍ତ୍ତେ ନୀରବ ରହିବାରୁ ଶେଷରେ ଅଖାରେ ବନ୍ଧା ହୋଇ ମୃତଦେହ ସାଇକେଲରେ ଶ୍ମଶାନ ନିଆଯାଇଛି।
ଘଟଣାରୁ ଜଣାପଡ଼ିଛି, ରେଙ୍ଗାଳି ନଦୀ ବନ୍ଧ ନିର୍ମାଣ ବେଳେ ବାହାର ଅଞ୍ଚଳରୁ ଆସିଥିବା ବହୁ ଶ୍ରମିକ ପରିବାର ସହ ଏଠାରେ ରହିଯାଇଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ଏବେ ଡ୍ୟାମ୍‌ କଲୋନୀର ଭଙ୍ଗା କ୍ୱାର୍ଟର୍ସ ଓ ବିଭିନ୍ନ ଖୋଲା ସ୍ଥାନରେ ଅସ୍ଥାୟୀ ଭାବେ ରହି ଜୀବିକା ନିର୍ବାହ କରୁଛନ୍ତି। ଆଠମଲ୍ଲିକ ଅଞ୍ଚଳରୁ ଆସିଥିବା ଗିରିଧାରୀ ଗଣ୍ଡ(୭୦) ଦୀର୍ଘବର୍ଷ ହେଲା ଡ୍ୟାମ୍‌ କଲୋନୀରେ ରହୁଥିଲେ। ବର୍ଷେ ପୂର୍ବରୁ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବାରୁ ଗିରିଧାରୀ ଅସହାୟ ହୋଇପଡ଼ିଥିଲେ। ବୟସାଧିକ୍ୟ କାରଣରୁ ସୋମବାର ସାରେ ତାଙ୍କର ମୃତ୍ୟୁ ହୋଇଥିଲା। କଲୋନୀ ବାସିନ୍ଦା ଏ ନେଇ ଥାନାକୁ ଜଣାଇଥିଲେ। କିନ୍ତୁ ରେଙ୍ଗାଳି ପୋଲିସ ପ୍ରଥମେ ଅଭିଯୋଗ କରିବାକୁ କହିବାରୁ କଲୋନୀବାସୀ ନିରାଶ ହୋଇ ମଙ୍ଗଳବାର ମୃତଦେହକୁ ଅଖାରେ ପୂରାଇ ଏକ ସାଇକେଲ ଯୋଗେ ଶ୍ମଶାନକୁ ନେଇ ପୋତି ଦେଇଥିଲେ। ଏ ସମ୍ପର୍କରେ ରେଙ୍ଗାଳି ଥାନା ଅଧିକାରୀ ସରୋଜ ସାମଲ କହିଛନ୍ତି, ବୃଦ୍ଧଙ୍କ ମୃତ୍ୟୁ ଖବର ପାଇଥିଲୁ। ଅଭିଯୋଗ ନ ଥିବାରୁ ମାମଲା ହୋଇନାହିଁ। ତଦନ୍ତ କରାଯିବ। କଣିହାଁ ବିଡିଓ ରମେଶ କୁମାର ଜେନା କହିଛନ୍ତି, ମୃତଦେହ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନା କାର୍ଯ୍ୟକାରୀ ହେଉଛି। କେଉଁ କାରଣରୁ ଏପରି ସ୍ଥିତି ଉପୁଜିଲା ସେ ସମ୍ପର୍କରେ ସରପଞ୍ଚଙ୍କୁ କୈଫତ ମଗାଯିବ।

Share