ବୃଦ୍ଧାଙ୍କଠାରୁ ୪ ଲକ୍ଷ ଠକେଇ: ସମ୍ପର୍କୀୟ ଗିରଫ

କଟକ ଅଫିସ,୪ା୭: ବୃଦ୍ଧାଙ୍କ ଠାରୁ ୪ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ମର୍କତନଗର ପୋଲିସ ବୁଧବାର ଜଣେ ସମ୍ପର୍କୀୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳର ଅମର ନନ୍ଦ(୫୭)। ପୋଲିସ ତାଙ୍କଠାରୁ ୧୨ ହଜାର ଟଙ୍କା ଜବତ କରିବା ସହ ଏ ନେଇ ଏକ ମାମଲା(ନଂ.୧୦୧/୧୯) ରୁଜୁ କରିଛି।
ଅଭିଯୋଗ ଅନୁଯାୟୀ, ମହାଲକ୍ଷ୍ମୀ ମିଶ୍ର(୭୨) ମର୍କତନଗର ଥାନା ଅନ୍ତର୍ଗତ ସିଡିଏ ସେକ୍ଟର-୬ ଅଞ୍ଚଳରେ ରହୁନ୍ତି। ତାଙ୍କର ଜଣେ ଦୂରସମ୍ପର୍କୀୟ ହେଉଛନ୍ତି ଅମର। ବୃଦ୍ଧାଙ୍କର ଜଣେ ବିବାହିତ ଝିଅ ଅଛନ୍ତି। ହେଲେ ମହାଲକ୍ଷ୍ମୀ ତାଙ୍କ ପାଖରେ ରହିବାକୁ ପସନ୍ଦ କରୁ ନ ଥିବାରୁ ସେ ଅମରଙ୍କୁ ତାଙ୍କ ପାଖରେ ରଖିଥିଲେ। ସୁବିଧା ଅସୁବିଧାରେ ସେ ଅମରଙ୍କୁ ଆର୍ଥିକ ସାହାଯ୍ୟ କରନ୍ତି। ଗତ ମେ’ରେ ଅମର ତାଙ୍କୁ ବ୍ୟାଙ୍କକୁ ନେଇ ଏକ କାଗଜରେ ଦସ୍ତଖତ କରିବାକୁ କହିଥିଲେ। ଫଳରେ ମହାଲକ୍ଷ୍ମୀ ଉକ୍ତ କାଗଜରେ ଦସ୍ତଖତ କରିଥିଲେ। ଏହାର କିଛିଦିନ ପରେ ମହାଲକ୍ଷ୍ମୀଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଉଠାଯାଇଥିବା ତାଙ୍କ ଝିଅ କହିଥିଲେ। ସେ ବ୍ୟାଙ୍କକୁ ଯାଇ ପଚାରିବାରୁ ଜଣାପଡିଲା ଯେ, ତାଙ୍କ ଆକାଉଣ୍ଟରେ ୪ ଲକ୍ଷ ଟଙ୍କାର ଏକ ଫିକ୍ସ ଡିପୋଜିଟ୍‌ କରିଥିଲେ। ପରେ ବୃଦ୍ଧା ତାଙ୍କର ଉକ୍ତ ବଣ୍ଡ୍‌ଟି ହଜିଯାଇଥିବା ନେଇ ଅଭିଯୋଗ କରିଥିଲେ, ଯେଉଁଥିରେ ତାଙ୍କର ଦସ୍ତଖତ ରହିଥିଲା। ଏହାପରେ ଏକ ଚେକ୍‌ ମାଧ୍ୟମରେ ୪ ଲକ୍ଷ ଟଙ୍କା ଜଣେ ବ୍ୟକ୍ତି ଉଠାଇ ନେଇଥିଲେ। ଏ ନେଇ ମହାଲକ୍ଷ୍ମୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଅମରଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ଜଣାପଡିଥିଲା ଯେ, ଯେହେତୁ ଉକ୍ତ ବଣ୍ଡ ପେପରଟି ମହାଲକ୍ଷ୍ମୀଙ୍କ ଝିଅଙ୍କ ପାଖରେ ଥିଲା ଅମର ପ୍ରଥମେ ମହାଲକ୍ଷ୍ମୀଙ୍କୁ ବ୍ୟାଙ୍କ ନେବା ସହ ତାଙ୍କର ବଣ୍ଡ ପେପର ହଜିଯାଇଥିବା ନେଇ ଅଭିଯୋଗ କରିଥିଲେ। ପରେ ବୃଦ୍ଧାଙ୍କ ଏକ ଚେକ୍‌ରେ ତାଙ୍କର ଦସ୍ତଖତ କରି ଏହା ମାଧ୍ୟମରେ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ସେ ମାନିଥିଲେ।

Share