ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା

ତେଲକୋଇ/ପରଜଙ୍ଗ, ୨୧।୮(ଡି.ଏନ୍‌.ଏ.): ଢେଙ୍କାନାଳ-କେନ୍ଦୁଝର ସୀମାନ୍ତ ସଂରକ୍ଷିତ ଜଙ୍ଗଲରେ ହାତୀ-ମଣିଷ ସଂଘର୍ଷ ତୀବ୍ର ରୂପ ନେଇଛି। ହାତୀ ଦୌରାତ୍ମ୍ୟରେ ଜଙ୍ଗଲତଳି ଅଞ୍ଚଳବାସୀ ସର୍ବାଧିକ ପ୍ରଭାବିତ ହେଉଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ହାତୀ ମୁହଁରେ ଜୀବନ ଯିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ମହାବିରୋଡ଼ ସେକ୍ସନ ଅଧୀନ ଅଙ୍ଗାରୁଆ ଜଙ୍ଗଲରେ ଛତୁ ତୋଳିବାକୁ ଆସିଥିବାବେଳେ ବୁଧବାର ଜଣେ ବୃଦ୍ଧାଙ୍କୁ ଦନ୍ତାହାତୀ କଚାଡ଼ି ମାରିଦେଇଛି। ମୃତକ ହେଲେ ତେଲକୋଇ ଥାନା ବଳଭଦ୍ରପୁର (ପନାସିଆ) ଗ୍ରାମର ଦୁଲଣା ସାହୁ (୬୨)। ସୌଭାଗ୍ୟବଶତଃ ଅନ୍ୟ ୨ଜଣ ବର୍ତ୍ତିଯାଇଛନ୍ତି।
ଦୁଲଣାଙ୍କ ସମେତ ଅନ୍ୟ ୨ଜଣ ମହିଳା ଜଙ୍ଗଲରେ ଛତୁ ତୋଳୁଥିବାବେଳେ ହଠାତ୍‌ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ଜୀବନ ବିକଳରେ ସମସ୍ତେ ଦୌଡ଼ି ପଳାଉଥିବାବେଳେ ଦୁଲଣାଙ୍କୁ ହାତୀ ଶୁଣ୍ଢରେ ଧରି ଫିଙ୍ଗି ଦେଇଥିଲା। ଅନ୍ୟ ଦୁଇଜଣ ଗ୍ରାମରେ ପହଞ୍ଚତ୍ ଏ ସମ୍ପର୍କରେ ଅବଗତ କରାଇଥିଲେ। ଗ୍ରାମବାସୀ ଜଙ୍ଗଲରେ ପହଞ୍ଚତ୍ବା ବେଳକୁ ଦୁଲଣାଙ୍କ ମୃତ୍ୟୁ ହୋଇସାରିଥିଲା।
ସୂଚନା ପାଇ ତେଲକୋଇ ବନାଞ୍ଚଳ ଅଧିକାରୀ ପୀତାମ୍ବର ନାୟକ, ମହାବିରୋଡ ରେଞ୍ଜର ହରମୋହନ ନାୟକ, ଫରେଷ୍ଟର ଅଜିତ୍‌ କୁମାର ଦଳେଇ, ଫାଣ୍ଡି ଅଧିକାରୀ ବିନୟ କୁମାର ସାହୁ ପ୍ରମୁଖ ସଦଳବଳ ପହଞ୍ଚତ୍ ମୃତଦେହ ଉଦ୍ଧାର କରିଥିଲେ। ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଏ ନେଇ ନଂ. ୨୮/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବନ ବିଭାଗ ପକ୍ଷରୁ ମୃତ ବୃଦ୍ଧାଙ୍କ ପରିବାରକୁ ପ୍ରାଥମିକ ପର୍ଯ୍ୟାୟରେ ୪୦ ହଜାର ଟଙ୍କାର ଚେକ୍‌ ଦିଆଯାଇଛି। ଆବଶ୍ୟକ କାଗଜପତ୍ର ଦାଖଲ ପରେ ଅବଶିଷ୍ଟ ୩ ଲକ୍ଷ ୬୦ ହଜାର ଟଙ୍କା ଦିଆଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।