ବୃଦ୍ଧାଙ୍କୁ ମାରି ଜଗି ରହିଥିଲା ମା’ ଭାଲୁ, ଉଦ୍ଧାର କଲା ବନବିଭାଗ ଟିମ୍‌

ନବରଙ୍ଗପୁର,୯।୧(ବି.ପ୍ର.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡ଼ା ଗ୍ରାମର ନିଖୋଜ ବୃଦ୍ଧା ଗୋରୀ ଅମନାତ୍ୟ(୭୦)ଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ତାଙ୍କୁ ଭାଲୁ ଆକ୍ରମଣ କରି ମାରିଦେଇଥିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ଦୁଇ ଦିନ ତଳେ ଗୋରୀ ନିଖୋଜ ହୋଇଯାଇଥିଲେ। ସେହିଦିନଠାରୁ ପରିବାରବର୍ଗ ଓ ଗ୍ରାମବାସୀ ତାଙ୍କୁ ଖୋଜା ଖୋଜି କରୁଥିଲେ। ଗୁରୁବାର ଗ୍ରାମର କିଛି ଯୁବକ ଗୋରୀଙ୍କୁ ଖୋଜିବାକୁ ନିକଟସ୍ଥ ଶାଳ ଜଙ୍ଗଲ ମଧ୍ୟକୁ ଯାଇଥିଲେ। ସେଠାରେ ଗୋଟିଏ ଗଛ ମୂଳରେ ଗୋରୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ମୃତଦେହକୁ ଏକ ମା’ ଭାଲୁ ସହ ଦୁଇ ଛୁଆ ଭାଲୁ ଜଗି ରହିଥିଲେ। ଫଳରେ ମୃତଦେହ ଉଦ୍ଧାର କରାଯାଇପାରି ନ ଥିଲା। ଏ ନେଇ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେl ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ସହ ନବରଙ୍ଗପୁର ଏସ୍‌ପି ନୀତିନ କୁଶଳକର ପହଞ୍ଚିି ସ୍ଥିତି ଅନୁଧ୍ୟାନ କରିଥିଲେ। ବନ ବିଭାଗ ତୁରନ୍ତ ଏକ ସ୍କ୍ବାଡ୍‌ ଗଠନ କରି ଭାଲୁକୁ ଘଉଡ଼ାଇ ମୃତଦେହକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ବାଣ ଓ ନିଆଁ ହୁଳା ନେଇ ଜଙ୍ଗଲ ମଧ୍ୟକୁ କର୍ମଚାରୀମାନେ ପ୍ରବେଶ କରିଥିଲେ । ବାଣ ଓ ନିଆଁ ହୁଳାକୁ ଦେଖି ମା’ ଭାଲୁ ଜଙ୍ଗଲ ମଧ୍ୟକୁ ପଳାଇବାରୁ ବନ ବିଭାଗ ମୃତଦେହକୁ ଉଦ୍ଧାର କରି ଜଙ୍ଗଲ ବାହାରକୁ ଆଣିଥିଲେ । ମୃତଦେହ ଉଦ୍ଧାର ସମୟରେ ଛୁଆ ଭାଲୁ ଥିବା ଦେଖିଥିବା ରେଞ୍ଜର ମନୋଜ କୁମାର ପାତ୍ର ପ୍ରକାଶ କରିଛନ୍ତି। ତୁରନ୍ତ ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୨୦୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସରକାରଙ୍କ ଯାହା ନିୟମ ରହିଛି ତାହା ପ୍ରଦାନ କରାଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି l

ନବରଙ୍ଗପୁର ଜିଲାଟି ବନ ଓ ପାହାଡ଼ ପରିପୂର୍ଣ ହୋଇଥିବାରୁ ଅନେକ ସମୟରେ ଏଭଳି ଧନ ଜୀବନ ହାନି ହେଉଥିବା ଦେଖିବାକୁ ମିଳୁଛି l ଏ ନେଇ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାପାଇଁ ଦାବି ହେଉଛି।

Share