ବୃଦ୍ଧି ପାଉଛି ବେଆଇନ ନିଶା କାରବାର: ପୁଣି ପାଟଣାଗଡ଼ ଅଞ୍ଚଳରୁ ୨ହଜାର ବୋତଲ କଫ୍‌ ସିରପ୍‌ ଜବତ

ପାଟଣାଗଡ଼, ୪।୧୨(ଡି.ଏନ.ଏ.): ଗତ ୨ ତାରିଖରେ ପାଟଣାଗଡ଼ ପୋଲିସ ୧୬ ହଜାର କଫ୍‌ ସିରପ୍‌ ଜବତ କରିଥିବା ବେଳେ ବୁଧବାର ପୁଣି ପାଟଣାଗଡ ଅବକାରୀ ବିଭାଗ ଦ୍ୱାରା ବେଲପଡ଼ା ଅଞ୍ଚଳରୁ ୨୦୦୦ ବୋତଲ କଫ୍‌ ସିରପ୍‌ ଜବତ କରାଯାଇଛି। ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି। ଚଢ଼ାଉରେ ଏକ୍ସାଇଜ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀଧର ମାଝିଙ୍କ ନେତୃତ୍ୱରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସିଦ୍ଧେଶ୍ୱର ବେଶ୍ରା, ସଦର ଇନ୍ସପେକ୍ଟର ପ୍ରସନ୍ନ ନାଏକ, ମୋବାଇଲ ଇନ୍ସପେକ୍ଟର ଝସକେତନ ବରିହା, ପାଟଣାଗଡ ଅବକାରୀ ଅଧିକାରୀ ବିଶ୍ୱନାଥ ପରିଡା, ମୋବାଇଲ ଏସ୍‌ଆଇ ଗିରିଜା ପାଣିଗ୍ରାହୀ, ସଦର ଏସ୍‌ଆଇ ପଦ୍ମଲୋଚନ ନାଏକ ପ୍ରମୁଖ ସାମିଲ ଥିଲେ।

ସୂଚନାଯୋଗ୍ୟ, ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଥିବା ବେଳେ ନିଶା ବେପାରୀମାନେ କଫ୍‌ ସିରପ୍‌କୁ ନିଶାଦ୍ରବ୍ୟ ଭାବେ ବିକ୍ରିକରି ଲାଭବାନ ହେଉଛନ୍ତି। ଅପରପକ୍ଷେ ଏହାଦ୍ୱାରା ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖଇ ବଲାଙ୍ଗୀର ଜିଲା ପୋଲିସ ଏବଂ ଅବକାରୀ ବିଭାଗ ଚଢ଼ାଉ କରି ଅଞ୍ଚଳରୁ ବେଆଇନ କଫ୍‌ ସିରପ୍‌ ଜବତ କରୁଛନ୍ତି। ହେଲେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ କମ୍‌ କରିବା ଦିଗରେ ସେଭଳି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହି ନିଶା କାରବାର ରାୟପୁରଠାରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡ଼ିଛି। ଖାଲି କଫ୍‌ ସିରପ୍‌କୁ ଜବତ କରାଯାଉଥିବାବେଳେ ଛୋଟ ବେପାରିଙ୍କୁ ଗିରଫ କରି ବସିଯାଉଛି ପ୍ରଶାସନ। ଫଳରେ ମୁଖ୍ୟ କିଙ୍ଗ୍‌ପିନ୍‌ ପାଖକୁ କାହିଁକି ପହଞ୍ଚି ପାରୁନାହିଁ ବୋଲି ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Share