ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ: ଟଙ୍କା, ସୁନା ଲୁଟ୍‌

ଚଣ୍ଡିଖୋଲ,୨୬।୨(ଡି.ଏନ.ଏ): ବଡ଼ଚଣା ଥାନା ଅନ୍ତର୍ଗତ ବଡ଼ଘୁମୁରି ପଞ୍ଚାୟତ ଅଧିନ ପାଇକରାପୁର ଗ୍ରାମର ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏକ ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଦମ୍ପତିଙ୍କୁ ପ୍ରଥମେ ବଡ଼ଚଣା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ ପାଇକରାପୁର ଗ୍ରାମର ଶତ୍ରୁଘ୍ନ ବେହେରା(୮୫) ଓ ପତ୍ନୀ ମାଳତୀ ଦେବୀ (୮୦) ସୋମବାର ଘରେ ଶୋଇଥିବାବେଳେ ମଧ୍ୟରାତ୍ରୀରେ ଦୁର୍ବୃତ୍ତମାନେ ଘରେ ପଶି ଉଭୟଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ଘରେ ଥିବା ନଗଦ ୧୫ହଜାର ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ। ଏହି ଆକ୍ରମଣରେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ଏସମ୍ପର୍କରେ ଦମ୍ପତିଙ୍କ ନାତି ମଙ୍ଗଳବାର ବଡ଼ଚଣା ଥାନାରେ ଅଭିଯୋଗ କରିବାପରେ ପୋଲିସ ଏକ ମାମଲା(ନଂ.୨୯/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗ୍ରାମ ନିକଟରେ ଥିବା ଚୋରା ମଦ ଦୋକାନରେ ରାତିସାରା କିଛି ଅସାମାଜିକ ଯୁବକ ଭିଡ଼ ଜମାଉଥିବା ଯୋଗୁ ଏଭଳି ଘଟଣା ଘଟିଥାଇପାରେ ବୋଲି ଅଭିଯୋଗପତ୍ରରେ ଦର୍ଶାଯାଇଛି।