ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ପାଟଣା,୮।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣି ଘାଟି ପଞ୍ଚାୟତ ଗୁଧିରାମପଡ଼ା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ବୃଦ୍ଧ ଦମ୍ପତି ଘର ବାରଣ୍ଡାରେ ମଶାରି ଟାଙ୍ଗି ଶୋଇଥିବାବେଳେ କେହି ଦୁର୍ବୃତ୍ତ ସେମାନଙ୍କୁ ଅତି ଶୋଚନୀୟ ଭାବେ ହତ୍ୟା କରିଛନ୍ତି। ମୃତ ଦମ୍ପତି ହେଲେ ରାମାଇ ମୁଣ୍ଡା(୬୯) ଏବଂ ସ୍ତ୍ରୀ ଚମ୍ପା ମୁଣ୍ଡା(୬୪)।

ସୂଚନାନୁଯାୟୀ, ରାମାଇ ଏବଂ ଚମ୍ପା ବାରଣ୍ଡାରେ ଶୋଇଥିବା ବେଳେ ଜ୍ୱାଇଁ ମଠାଇ ମୁଣ୍ଡା ଘର ଭିତରେ ଶୋଇଥିଲେ। ହେଲେ ଦୁର୍ବୃତ୍ତମାନେ ମଠାଇଙ୍କୁ ବାହାର ପଟୁ କବାଟ କିଳି ଦେଇଥିଲେ। ପରେ ସେମାନେ ବୃଦ୍ଧ ଦମ୍ପତିଙ୍କୁ କୌଣସି ଧାରୁଆ ଅସ୍ତ୍ର କିମ୍ବା ଭାରି ଜିନିଷରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର ମଲ୍ଲିକ ଓ ଥାନାଧିକାରୀ ବନ୍ଦନା ପାତ୍ର ପ୍ରମୁଖ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ଡକାଇ ତଦନ୍ତ ଜାରି ରଖିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ନ ଥିବା ବେଳେ ରାମାଇ ଝଡ଼ାଫୁଙ୍କା ଓ ଗୁଣିଗାରେଡି କରୁଥିବା ନେଇ ଚର୍ଚ୍ଚା ହେଉଛି।

Share