ବେଆଇନଭାବେ ରାସ୍ତା ପାର୍ଶ୍ୱରେ ଗାଡି ପାର୍କିଂକୁ ବିରୋଧ

ଯାଜପୁର ରୋଡ଼,୧୭।୧୦(ନି.ପ୍ର.): ଯାଜପୁର-କେନ୍ଦୁଝର ରୋଡ ଆର୍‌ପିଏଫ୍‌ ପକ୍ଷରୁ ଟ୍ରାଫିକ୍‌ ଜାମ୍‌ ନେଇ ବିଭିନ୍ନ ସ୍ଥାନରୁ ଜବର ଦଖଲ ଉଚ୍ଛେଦ କରାଯାଉଛି। ଏହି କ୍ରମରେ କିଛିଦିନ ତଳେ ଷ୍ଟେସନ ବଜାର, ଗୋପବନ୍ଧୁ ଛକ ଓ ଡାକବଙ୍ଗଳା ଛକ ଅଞ୍ଚଳରେ ଠେଲା ଦୋକାନଙ୍କୁ ଉଚ୍ଛେଦ କରାଯାଇଛି। ପରିବାର ପ୍ରତିପୋଷଣ ଆଶାରେ ଜାଗା ନ ପାଇ ରାସ୍ତା କଡ଼ରେ ଛୋଟଛୋଟ ଦୋକନ କରି ଜୀବନଜୀବକା ବିତାଉଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଉଛି। ହେଲେ ରେଲ୍‌ଓ୍ବେ ଷ୍ଟେଶନଠାରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରେଳବାଇ ରାସ୍ତାର ଉଭୟ ପାର୍ଶ୍ୱରେ ବେଆଇନଭାବେ ଟ୍ୟାକ୍ସି ଓ ଅଟୋ ପାର୍କିଂ କରାଯାଉଛି। ଫଲରେ ଟ୍ରାଫିକ ପୂର୍ବ ଅପେକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି। ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାବେଳେ ଉଠାଦୋକାନୀଙ୍କ କ୍ଷେତ୍ରରେ ବାରମ୍ବାର ନିମୟକାନୁନ ଲାଗୁ କରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକେ ଉଠାଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ସେମାନଙ୍କୁ ଥଇଥାନ କରି ଉଚ୍ଛେଦ କରିବାର ନିୟମ ଥିଲେ ମଧ୍ୟ ସେମାନଙ୍କୁ ଥଇଥାନ କରାଯାଇନାହିଁ। ରେଳବାଇ ପକ୍ଷରୁ ଅଟୋ ଓ ଟ୍ୟାକ୍ସି ରଖିବା ପାଇଁ ସ୍ବତନ୍ତ୍ର ଷ୍ଟାଣ୍ଡ୍‌ କରାଯାଇଛି। କନ୍ତୁ ଟ୍ୟାକ୍ସିଗୁଡିକ ଷ୍ଟାଣ୍ଡରେ ନ ରଖି ଯାଇ ରାସ୍ତାର ଦୁଇ ପାର୍ଶ୍ୱରେ ରଖାଯାଉଛି। ଅନ୍ୟପକ୍ଷରେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯାଉଥିବା କମ୍ପାନୀ ବସ୍‌ଗୁଡିକ ରାସ୍ତା ଉପରେ ରହୁଛି। ଏଥିପ୍ରତି ଆର୍‌ପିଏଫ୍‌ର ନଜର ପଡୁ ନାହଁି। ଏ ସମ୍ପର୍କରେ ଯାଜପୁର-କେନ୍ଦୁଝର ରୋଡ ରେଲ୍‌ଓ୍ବେ ଷ୍ଟେଶନର ଆରପିଏଫ୍‌ ଥାନାର ଇନ୍‌ସ୍ପେକ୍ଟର ରମାକାନ୍ତ ବାରିକଙ୍କୁ ପଚାରିବାରୁ, ଟ୍ୟାକ୍ସି ଓ ବସ୍‌ଗୁଡିକୁ ରାସ୍ତାକଡ଼ରେ ନ ରଖିବା ପାଇଁ ବାରମ୍ବାର ତାଗିଦ୍‌ କରାଯାଇଛି । ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Share