ବେଆଇନ ଇଟାଭାଟି ବନ୍ଦ କଲା ପ୍ରଶାସନ

ରେଢାଖୋଲ,୩।୪(ଡି.ଏନ.ଏ.)-ମହାମାରୀ କରୋନା ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହାର ମୁକାବିଲା ପାଇଁ ଭାରତ ସମେତ ବିଭିନ୍ନ ଦେଶ ଲାଗି ପଡିଛନ୍ତି। ଭାରତରେ ଏହାର ମୁକାବିଲା ଲାଗି କେନ୍ଦ୍ର ସରକାର ସମଗ୍ର ଦେଶକୁ ଲକ୍‌ ଡାଉନ କରିଛନ୍ତି। ଏଭଳି ସମୟରେ ଶ୍ରମିକମାନେ କାମ କରିପାରିବେ ନାହିଁ ବୋଲି ସରକାରୀ ନିର୍ଦ୍ଦେଶ ରହିଛି। ହେଲେ ସମ୍ବଲପୁର ଜିଲା ରେଢାଖୋଲ ସହରର ୱାର୍ଡ ନଂ ୧୦ ଅନ୍ତର୍ଗତ ଡିମିରିକୁଦା ଗ୍ରାମ ନିକଟରେ ଥିବା ବେଆଇନ ଇଟା ଭାଟିରେ ୪୦/୫୦ ଜଣ ଶ୍ରମିକ କାମ କରୁଥିବା ଅଭିଯୋଗ ପାଇ ଗୁରୁବାର ପ୍ରଶାସନ ଚଢାଉ କରି ବନ୍ଦ କରିଛି। ପୋଲିସ, ବନ ବିଭାଗ ଓ ତହସିଲ ପକ୍ଷରୁ ମିଳିତ ଭାବେ ଏହି ବେଆଇନ ଇଟା ଭାଟି ଗୁଡିକ ଉପରେ ଚଢାଉ କରାଯାଇଥିଲା। ସେଠାରୁ ଏକ ଜେସିବି ମେଶିନ, ଟ୍ରାକ୍ଟର ସହ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ତେବେ ଚଢାଉ ବେଳେ ଇଟା ଭାଟିଗୁଡିକରେ ନିୟୋଜିତ ଶ୍ରମିକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପ୍ରଶାସନ ପକ୍ଷରୁ ଅଗ୍ନିଶମ ବିଭାଗକୁ ଡକାଯାଇ ପୋଡା ଯାଉଥିବା ଇଟାଭାଟି ଗୁଡିକ ଉପରେ ପାଣି ପକାଯାଇ ନଷ୍ଟ କରି ଦିଆଯାଇଛି। ଏସ୍‌ଡିପିଓ ହାଡିବନ୍ଧୁ ସ୍ବାଇଁ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ, ତହସିଲଦାର ରୁବି ବେହେରା ଓ ବନ ବିଭାଗ କର୍ମଚାରୀ ଚଢାଉର ନେତୃତ୍ୱ ନେଇଥିଲେ।

Share