ବେଆଇନ ଇଟାଭାଟି ସିଲ୍‌ କଲା ପ୍ରଶାସନ

ହିଞ୍ଜିଳିକାଟୁ, ୧୯ା୮(ଡି.ଏନ୍‌.ଏ)- ହିଞ୍ଜିଳିକାଟୁ ତହସିଲର ବିଭିନ୍ନ ବେଆଇନ ଇଟାଭାଟିରେ ପ୍ରଶାସନ ପକ୍ଷରୁ ସୋମାବର ଲାଲ ବାନା ଲଗାଯିବା ସହ ଭାଟିରେ ତାଲା ପକାଯାଇଛି। ହିଞ୍ଜିଳିକାଟୁ ତହସିଲର ହିଞ୍ଜିଳି, ଚାନ୍ଦୁଲି, ଖରିଡ଼ା, ଧୋବାଡ଼ି ପାଟପୁର ଓ ସାହାପୁରର ବିଭିନ୍ନ ଚିମିନି ଇଟାଭାଟି ଗୁଡ଼ିକରେ ଚଢ଼ାଉ ହୋଇଥିଲା। ସ୍ଥାନୀୟ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ରଙ୍କ ନେତୃତ୍ୱରେ ପ୍ରଦୂଷଣ ବୋର୍ଡ଼ର ସହକାରୀ ଯନ୍ତ୍ରୀ ମହେଶ୍ୱର ବେହେରା ପ୍ରମୁଖ ଏଥିରେ ସାମିଲ ଥିଲେ। ଜାତୀୟ ଗୀନ ଟ୍ରୁବନାଲ (ଏନ୍‌ଜିଟି) ନିର୍ଦ୍ଦେଶ ଅବମାନନା, ମାଇନିଂ ଉତ୍ତୋଳନ ଓ ପରିବେଶ ମଞ୍ଜୁରୀ ଅନୁମତି ଆଦି ନିୟମକୁ ଅବମାନନା କରି ଇଟାଭାଟି ଗଢ଼ି ଉଠିଥିବାରୁ ସେଗୁଡ଼ିକୁ ବନ୍ଦ କରିବାକୁ ଗତ ରାଜସ୍ବ ସମୀକ୍ଷା ବୈଠକରେ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆବଶ୍ୟକୀୟ ପ୍ରମାଣପତ୍ର ନ ଥିବାରୁ ତହସିଲ ଅଞ୍ଚଳର ୬ ଚିମିନି ଇଟାଭାଟିରେ ଲାଲ ବାନା ଉଡ଼ା ଯାଇଥିଲା। ଉକ୍ତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। କଞ୍ଚା ଓ ପୋଡ଼ା ଇଟାକୁ କାୈଣସି ପରିସ୍ଥିତିରେ ବିକ୍ରି ନ କରିବାକୁ ଇଟାଭାଟି ମାଲିକଙ୍କୁ ନିର୍ଦ୍ଦେଶ କରାଯାଇଛି। ନିର୍ଦ୍ଦେଶ ଅବମାନନା କରିବା ବ୍ୟକ୍ତିଙ୍କ ବିରୁଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

Share