ବେଆଇନ କରତକଳରେ ଚଢ଼ାଉ : କାଠ, ଯନ୍ତ୍ରାଂଶ ଜବତ

ଚାନ୍ଦବାଲି, ୧୯।୧୦ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଏକ ବେଆଇନ କରତକଳରେ ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଶନିବାର ଚଢାଉ କରାଯାଇଛି। ଚାନ୍ଦବାଲି କଲେଜ ନିକଟରେ ଥିବା କରତକଳରେ ଚଢ଼ାଉ କରାଯାଇ ବିଭିନ୍ନ ଯନ୍ତ୍ରାଂଶ ସହିତ କେତେକ କାଠଗଡ଼, ଚିରା କାଠ ଓ ଏକ ଡାଲା ଅଟୋ ମଧ୍ୟ ଜବତ ହୋଇଛି। ଚଢ଼ାଉ ବେଳେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଉପସ୍ଥିତ ଥିଲେ। ଏଠାରେ ବେଆଇନ କରତକଳ ଚାଲୁଥିବା ଖବର ପାଇ ଡିଏଫ୍‌ଓ ପୂର୍ଣ୍ଣିମା ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଚଢ଼ାଉ କରାଯାଇଥିଲା। କରତକଳରେ କାମ କରୁଥିବା ୪ ଜଣଙ୍କୁ ବିଭାଗ ପକ୍ଷରୁ ପଚରାଉଚରା କରାଯାଇଥିଲା। ଜେସିବି ଓ ଗ୍ୟାସ୍‌ କଟର ସହାୟତାରେ କରତକଳର ଯନ୍ତ୍ରପାତିକୁ କଟାଯାଇ ବିଭାଗ ନିଜ ହେପାଜତକୁ ନେଇଛି।