ବେଆଇନ କାଠଗୋଲାରେ ଚଢ଼ାଉ

ବନ୍ତ, ୩୦।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବେଆଇନ କାଠଗୋଲାରେ ସୋମବାର ଜିଲା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବହୁ ପରିମାଣର କାଠ ଜବତ କରାଯାଇଥିବା ଜଣାଯାଇଛି। ଭଦ୍ରକ ଡିଏଫ୍‌ଓ ପି ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ୍‌ ବିରାଜ ମୋହନ ମହାନ୍ତି, ବରିଷ୍ଠ ବନପାଳ ଜଗନ୍ନାଥ ମିଶ୍ର, ରେଞ୍ଜର ସମୀର କୁମାର ରାଉତ ଏବଂ ପୋଲିସ ଫୋର୍ସ ସହାୟତାରେ ମାଜିଷ୍ଟ୍ରେଟ୍‌ ଦୀପକ କୁମାର ରାଉତଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇଥିଲା। ବନ୍ତ ସ୍ଥିତ କେନ୍ଦୁଆପଦା ଛକରେ ଥିବା ୪ଟି ବେଆଇନ କାଠଗୋଲାରେ ଚଢ଼ାଉ କରାଯାଇଥିତ୍ବା ବେଳେ ୩ ଶହ ସିପ୍ଟରୁ ଊର୍ଦ୍ଧ୍ୱ କାଠ ଜବତ ହୋଇଥିବା ଜଣାଯାଇଛି। ଏହାପରେ ଉକ୍ତ କାଠଗୋଲାଗୁଡ଼ିକୁ ସିଲ୍‌ କରି ଦିଆଯାଇଛି। ତେବେ ଜବତ କାଠଗୁଡ଼ିକୁ ଜିଲା ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇ ତାହାର ପରିମାଣ ଓ ମୂଲ୍ୟ ଧାର୍ଯ୍ୟ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଖବର ଲେଖା ହେବା ବେଳକୁ ଚଢ଼ାଉ ଜାରି ରହିଥିବା ବରିଷ୍ଠ ବନପାଳ ମିଶ୍ର କହିଥିଲେ। ପ୍ରକାଶ ଯେ, ବନ୍ତ ବଜାରରେ ୩ଟି ସରକାରୀ ସ୍ବୀକୃତ କାଠଗୋଲା ଥିବାବେଳେ ବେଆଇନ ଭାବେ ବହୁ କାଠଗୋଲା ଖୋଲାଯାଇ ବେପାର ଚାଲୁଥିଲା।