ବେଆଇନ କାଠପୋଲ ଉଚ୍ଛେଦକୁ ବିରୋଧ

ଜଳେଶ୍ୱର, ୪।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ୭ ଓ ୮ ନଂ. ୱାର୍ଡ଼ ସନ୍ନିକଟ ସୁବର୍ଣ୍ଣରେଖା ନଦୀରେ ନିର୍ମିତ ହୋଇଥିବା ବେଆଇନ କାଠପୋଲକୁ ଉଚ୍ଛେଦ କରିବାକୁ ଯାଇ ପ୍ରଶାସନକୁ ହଟହଟା ହେବାକୁ ପଡ଼ିଛି।
ଜଳେଶ୍ୱର ସହରର ପଞ୍ଚୁଘଣ୍ଟା ଓ ଶିଖରପୁର ପଞ୍ଚାୟତର ଭାନୁପୁର ଫେରିଘାଟ ମଧ୍ୟରେ ରହିଥିବା ଏହି କାଠପୋଲ ଉପରେ ରାଇବଣିଆ ଅଞ୍ଚଳର ବିଭିନ୍ନ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି। ଆଜକୁ ୩୦ବର୍ଷ ହେଲା ଅସ୍ଥାୟୀ କାଠପୋଲ ନିର୍ମାଣ କରାଯାଇ ସେହି ବାଟ ଦେଇ ପ୍ରତ୍ୟେକ ଦିନ ସ୍କୁଲ, କଲେଜ ଏପରିକି ଦମକଳ ଗାଡ଼ି, ପୋଲିସ୍‌ ଓ ପ୍ରଶାସନ ଗାଡି ମାନ ଯାତାୟାତ କରିଥାଏ ା ମାତ୍ର ଏହି ପୋଲ ଦୁଇଟି ନିର୍ମିତ ହେବା ଦ୍ୱାରା ନଦୀର ଗତିପଥ ବଦଳିଯିବା ସଙ୍ଗେ ସଙ୍ଗେ ଉପକୂଳବର୍ତ୍ତୀ ସ୍ଥାନ ଓ ଘରଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି ବୋଲି କେତେକ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ତେଣୁ ଜିଲାପାଳଙ୍କ ନିର୍ଦ୍ଦେଶ ପାଇ ଉପଜିଲାପାଳଙ୍କ ପତ୍ର ସଂଖ୍ୟା ୩୯୫/୨୨-୧-୨୦୨୦ରେ ବାଲେଶ୍ୱର ଏସ୍‌ପିଙ୍କୁ ଆସନ୍ତା ୩ତାରିଖରେ ଉଚ୍ଛେଦ କାର୍ଯ୍ୟ ହେବ ବୋଲି ଚିଠି ଲେଖି ଜଣାଇବା ସଙ୍ଗେ ସଙ୍ଗେ ଆବଶ୍ୟକ ପୋଲିସ୍‌ ଫୋର୍ସ ଯୋଗାଇ ଦେବା ଲାଗି ଅନୁରୋଧ କରିଥିଲେ। ସେହି ଚିଠିର ନକଲ ମଧ୍ୟ ଜଳେଶ୍ୱର ତହସିଲଦାର, ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ, ଜଳେଶ୍ୱର ଏସ୍‌ଡ଼ିପିଓ ଓ ଜଳେଶ୍ୱର ଆଇଆଇସିଙ୍କୁ ମଧ୍ୟ ପ୍ରଦାନ କରିଥିଲେ। ମାତ୍ର ନିର୍ଦ୍ଧାରିତ ସମୟରେ ସୋମବାର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଇଂ. ପ୍ରିୟବ୍ରତ ସିଂ, ଜଳେଶ୍ୱର ସଦର ଆର୍‌ଆଇଙ୍କ ସମେତ ୭/୮ଜଣ କନଷ୍ଟେବଳ ସମ୍ପୃକ୍ତ ବେଆଇନ ପୋଲ ଉଚ୍ଛେଦ ପାଇଁ ସେଠାରେ ପହଞ୍ଚିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଶତାଧିକ ମହିଳା ଓ ପୁରୁଷ ରାସ୍ତା ଉପରେ ବସିଯାଇ ପୋଲ ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରିଥିଲେ। ଫଳରେ ଉଚ୍ଛେଦ କାର୍ଯ୍ୟ ହେବାରେ ବାଧା ସୃଷ୍ଟି ହୋଇଥିଲା। ଯଦି ପୋଲ ଉଚ୍ଛେଦ କରାଯାଏ, ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ସେମାନେ ଚେତାବନୀ ଦେଇଥିଲେ। ଶେଷରେ ଅନ୍ୟ ଉପାୟ ନ ପାଇ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖି ତହସିଲଦାର ଫେରି ଆସିଥିଲେ।
ଏ ସମ୍ପର୍କରେ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା କହିଛନ୍ତି ଯେ, ଉଚ୍ଛେଦ କାର୍ଯ୍ୟ ଆବଶ୍ୟକ ପୋଲିସ୍‌ଫୋର୍ସ ଅଭାବରୁ ସ୍ଥଗିତ ରଖାଗଲା। ଆଗାମୀ ଦିନରେ ଉଚ୍ଛେଦ କରାଯିବ।

Share