ବେଆଇନ କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ଗୋପାଳପୁର/କନିଷି (ଡି.ଏନ.ଏ.),୧୩ା୧୨-ଦୀର୍ଘମାସ ଧରି ରଙ୍ଗେଇଲୁଣ୍ଡା ବ୍ଲକ କନିଷି ହାଟ ତୁଳୁ ରୋଡରେ ବେଆଇନ କ୍ଲିନିକ କରି ବିଭିନ୍ନ ଅସ୍ତ୍ରୋପଚାର ଓ ଗର୍ଭପାତ କରାଯାଉଥିବା ଅଭିଯୋଗ ହେଉଥିଲା। ଏନେଇ ନଭେମ୍ବର ୮ରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ବିଳମ୍ବରେ ହେଲେ ମଧ୍ୟ ଜିଲା ପ୍ରଶାସନର ନିଦ ଭାଙ୍ଗିଛି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍‌ ଡିଏମ୍‌ଓ (ଏମ୍‌ଏସ୍‌), ସୁପରିଣ୍ଟେଣ୍ଡେଣ୍ଟ ସିଟି ହସ୍ପିଟାଲ ଡ଼ା. ରାଜେନ୍ଦ୍ର କୁମାର ସାହୁ, ମାଜିଷ୍ଟ୍ରେଟ ଦାୟିତ୍ୱରେ କନିଷି ତହସିଲଦାର ଅନିତା ସାହୁ, ଡ୍ରଗ୍ସ ଇନ୍ସପେକ୍ଟର ଲଳିତ କୁମାର ସାହୁ, ରାଜସ୍ବ ନିରୀକ୍ଷକ ସୁଦାମ ପ୍ରଧାନ, ରାମଚନ୍ଦ୍ର ନାୟକ, ପୋଲିସ ଏଏସ୍‌ଆଇ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ, ଅଶୋକ କୁମାର ପାଢ଼ୀ ଏବଂ ଅନ୍ୟ ଅଧିକାରୀମାନେ ଗୁରୁବାର ମଧ୍ୟାହ୍ନରେ ଅଚାନକ ଉକ୍ତ ବେଆଇନ କ୍ଲିନିକ୍‌ରେ ଚଢ଼ାଉ କରିଥିଲେ। ସେଠାରୁ ସର୍ଜରି ବ୍ଲେଡ, ଓଡ଼ିଶା ସରକାରଙ୍କ ପକ୍ଷରୁ ଯୋଗାଣ ହେଉଥିବା ଗଜ୍‌ କପଡ଼ା, ସ୍ପିରିଟ ଓ ଅନ୍ୟାନ୍ୟ ଔଷଧ ଜବତ କରାଯାଇଥିଲା। ଏଠାରେ ଦୀର୍ଘଦିନ ହେଲା ଅସ୍ତ୍ରୋପଚାର ଓ ବହୁ ବେଆଇନ କାର୍ଯ୍ୟ ହେଉଥିବା ଉକ୍ତ ଟିମ ଜାଣିବାକୁ ପାଇଥିଲା। ଅଧିକାରୀମାନେ କ୍ଲିନିକର କାଗଜପତ୍ର ଦେଖାଇବାକୁ କହିଥିଲେ ମଧ୍ୟ କ୍ଲିନିକରେ ରହୁଥିବା କର୍ମଚାରୀ ଦେଖାଇପାରିନଥିଲେ। ଚଢାଉର ଆଗୁଆ ସୂଚନା ପାଇ ନକଲି ଡାକ୍ତର ଜଣକ କ୍ଲିନିକରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଉକ୍ତ କ୍ଲିନିକ ସରକାରୀ ଜାଗାରେ ରହିଥିବାବେଳେ ପ୍ରଶାସନର କିଭଳି ନଜର ପଡୁ ନ ଥିଲା ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚଢ଼ାଉ ସମୟରେ ସରକାରୀ ଯୋଗାଣ ଔଷଧ ଓ ଗଜ୍‌ କପଡ଼ା ଜବତ ହୋଇଥିବାରୁ ସୋମବାର ବ୍ରହ୍ମପୁର ଏସଡିଜେଏମ ନିକଟରେ ଅଭିଯୋଗ କରାଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ଲଳିତ କୁମାର ସାହୁ ସୂଚନା ଦେଇଛନ୍ତି। ତେବେ ଉକ୍ତ କ୍ଲିନିକକୁ କିଭଳି ସରକାରଙ୍କ ପକ୍ଷରୁ ଯୋଗାଣ ହେଉଥିବା ଔଷଧ ଓ ଅନ୍ୟ ସାମଗ୍ରୀ ଆସୁଥିଲା ସେନେଇ ତଦନ୍ତ କରାଯିବ ବୋଲି ସାହୁ କହିଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବେଆଇନ କ୍ଲିନିକକୁ ସିଲ୍‌ କରାଯାଇଛି ଏବଂ କ୍ଲିନିକର କାଗଜପତ୍ର ୧୫ ଦିନ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗ ନିକଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ତହସିଲଦାର ସାହୁ ପ୍ରକାଶ କରିଛନ୍ତି।