କେନ୍ଦୁଝର, ୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ଶନିବାର ବେଆଇନ ଖଣି ଖନନ ନେଇ ଜରିମାନା ଦେଇ ନ ଥିବା ୩ ଖଣି ମାଲିକଙ୍କ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ବି.କେ. ମହାନ୍ତି, ଭଞ୍ଜ ମିନେରାଲସ୍ ଏବଂ ବାସୁଦେବ ଅଗ୍ରୱାଲ ଖଣି ଲିଜଧାରୀମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଜିଲାପାଳ ୱାରେଣ୍ଟ ଜାରି କରିଛନ୍ତି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜରିମାନା ଦେଇ ନ ଥିବା ୩୧ ଖଣିର ୨୩ ମାଲିକଙ୍କ ନାମରେ ୬୩୫୦ କୋଟି ଟଙ୍କାର ଜରିମାନା ଆଦାୟ ନେଇ ନୋଟିସ୍ ଜାରି ହୋଇଥିଲା। ଏହାକୁ ନେଇ ଖଣି କମ୍ପାନୀମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ସାର୍ଟିଫିକେଟ କେସ୍ ହୋଇଥିଲା। ଜରିମାନା ଖିଲାପକାରୀ ଖଣି ଲିଜଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବଦ୍ଧ ପଦକ୍ଷେପ ଆରମ୍ଭ ହୋଇସାରିଛି। ଜିଲା ମାଜିଷ୍ଟ୍ରେଟଙ୍କ ଅଦାଲତରେ ୨୦୧୮ମେ ୨୪ ତାରିଖରେ କରାଯାଇଥିବା ସାର୍ଟିଫିକେଟ କେସ ମୁତାବକ ଖଣି ଲିଜଧାରୀ ପକ୍ଷ ରଖିବାରେ ଖିଲାପ କଲେ ଓପିଡିଆର୍ ଆକ୍ଟ ୧୯୬୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଶନିବାର କୋର୍ଟରେ ହାଜର ହେବା ଲାଗି ୩ ଖଣି ମାଲିକଙ୍କୁ ନୋଟିସ୍ ହୋଇଥିଲା।