ବେଆଇନ ଗିରଫଦାରି ମାମଲା: କଟକ ଡିସିପିଙ୍କଠୁ ମାନବାଧିକାର ଆୟୁକ୍ତଙ୍କ ଜବାବ ତଲବ

କଟକ ଅଫିସ,୧୮।୮: ବେଆଇନ ଗିରଫଦାରି ମାମଲାରେ ରାଜ୍ୟ ମାନବାଧିକାର ଆୟୁକ୍ତ କଟକ ଡିସିପିଙ୍କୁ ଜବାବ ତଲବ କରିଛନ୍ତି। କଟକ ଡିପି ଲେନ ଅଞ୍ଚଳର ଅଙ୍କିତ ଅଗ୍ରଓ୍ବାଲ ଓ ହରିପୁର ଅଞ୍ଚଳର ଅନିଲ କୁମାର ସିମାନୀଙ୍କୁ କମିଶନରେଟ୍‌ ପୋଲିସ ବେଆଇନଭାବେ ଅଟକ ରଖି ଗିରଫ କରିବା ମାମଲାରେ ବିଚାର କରି ରାଜ୍ୟ ମାନବାଧିକାର ଆୟୁକ୍ତ ଜଷ୍ଟିସ୍‌ ରଘୁବୀର ଦାଶ ଡିସିପିଙ୍କୁ ପରବର୍ତ୍ତୀ ତାରିଖରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ, ଗତ ଜୁଲାଇ ୯ତାରିଖ ଅପରାହ୍ନରେ ଅଙ୍କିତ ଓ ଅନିଲ ଦୋଳମୁଣ୍ଡାଇସ୍ଥିତ ଓସିଆ ଟାୱାରରେ ଏକ ଉତ୍ସବରେ ଉପସ୍ଥିତ ଥିଲେ। ଏହି ସମୟରେ ପୁରୀଘାଟ ଥାନା ପୋଲିସ ସେମାନଙ୍କୁ ଜୋରଜବରଦସ୍ତ ଡିସିପିଙ୍କ କାର୍ଯ୍ୟାଳୟକୁ ନେଇ ଯାଇଥିଲେ। ସେଠାରେ ଗୋଟିଏ ଦିନ ଉଭୟଙ୍କୁ ଅଟକ ରଖିବା ପରେ ପରଦିନ ଅଦାଲତରେ ହାଜର କରିଥିଲେ। ତେବେ ଏସ୍‌ଡିଜେଏମ୍‌ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଥିଲେ। ସେମାନଙ୍କୁ ବେଆଇନ ଗିରଫ କରାଯାଇଥିବାରୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଉଭୟେ ରାଜ୍ୟ ମାନବାଧିକାର ଆୟୁକ୍ତଙ୍କୁ ପ୍ରାର୍ଥନା କରିଥିଲେ। ଆଇନଜୀବୀ କ୍ଷୀରୋଦ ରାଉତ ଉଭୟଙ୍କ ମାମଲା ପରିଚାଳନା କରୁଛନ୍ତି।

Share