ବେଆଇନ ଗୋଚାଲାଣ, ୭ ଗିରଫ

ଖଲ୍ଲିକୋଟ,୨୭।୭(ଡି.ଏନ.ଏ.)- ଖଲ୍ଲିକୋଟ ପୋଲିସ ଶନିବାର ଏକ ଟ୍ରକରେ ଗୋରୁ ଚାଲାଣ ବେଳେ ୧୭ ଗୋରୁ ଉଦ୍ଧାର କରିବା ସହ ଟ୍ରକ ଜବତ କରିଛି। ଏହି ଘଟଣାରେ ଚାଳକ ସମେତ ୭ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପୁରୀ ଜିଲା ସତ୍ୟବାଦୀ ଥାନା ଅଞ୍ଚଳର ଏସ୍‌.କେ. ସକିଲ, ରାକେଶ କୁମାର ସାହୁ, ଏସ.କେ. ପାନ୍ନା, ରସିଦ୍‌ ଖାନ, ଏସ୍‌.କେ. ରାଜୁ, ୟୁପି ମୁଜାଫର ନଗରର ଏମ୍‌.ଡି. ଆସୁ ଓ ସେହି ଅଞ୍ଚଳର ଟ୍ରକ ଚାଳକ ରାଜ କରଣ।
ପ୍ରକାଶ ଯେ, ଜାତୀୟ ରାଜପଥ ନଂ.୧୬ ଦେଇ ଶନିବାର ବେଆଇନ ଗୋରୁ ଚାଲାଣ ହେଉଥିବା ଖଲ୍ଲିକୋଟ ପୋଲିସ ସୂଚନା ପାଇଥିଲା। ଗୁରାପଲ୍ଲୀ ଟୋଲଗେଟଠାରେ ଆଇଆଇସି ସୁନୀଲ କୁମାର ବେହେରା, ଏସ୍‌ଆଇ ସିଲୁ ଧଳଙ୍କ ସମେତ ପୋଲିସ ଟିମ ଟ୍ରକ୍‌ (ନଂ.ୟୁପି୧୯ଟି-୨୫୦୬)କୁ ଅଟକାଇଥିଲେ। ଯାଞ୍ଚବେଳେ ୨ଟି ବଳଦ ଏବଂ ୧୫ ଗାଈ ଥିବାବେଳେ ଏହା ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ଯାଉଥିବା ଜଣାପଡ଼ିଥିଲା। ପୋଲିସ ଟ୍ରକ୍‌ରେ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଥାନା କେଶ ନଂ.୧୮୫/୧୯ରେ ମାମଲା ରୁଜୁ କରାଯାଇଛି। ଜବତ ଗୋରୁଙ୍କୁ ଭୁବନେଶ୍ୱରରେ ଥିବା ଏକ ଗୋଶାଳାକୁ ସ୍ଥାନାନ୍ତର କରାଯାଇଛି।

Share