ବେଆଇନ ଘରେ ମଦ କାରବାର

ବିରିଡି, ୨୯।୨ (ଡି.ଏନ୍‌.ଏ.): ବିରିଡ଼ି ବ୍ଲକ ଅଧୀନ ବିଲୁଆଖାଇ କେନାଲ ସବ୍‌ଡିଭିଜନ ବାଲିଆ ଅଧୀନରେ ଥିବା ୬ ନଂ. କେନାଲ ବନ୍ଧ ପାର୍ଶ୍ୱରେ ବେଆଇନ୍‌ ଭାବେ ନିର୍ମିତ ଏକ ଟିଣ ଛପର ଘରକୁ ଶୁକ୍ରବାର ଜଳସମ୍ପଦ ବିଭାଗ ପକ୍ଷରୁ ଭଙ୍ଗାଯାଇଛି। ଉକ୍ତ ଗୃହରେ ଚୋରାମଦ କାରବାର ଚାଲୁଥିବା ନେଇ ଦୀର୍ଘଦିନ ଧରି ସ୍ଥାନୀୟ ଲୋକେ ଅଭିଯୋଗ କରୁଥିଲେ। ତେବେ ଚୋରା ମଦ ବିକ୍ରି ଯୋଗୁ କେନାଲ ବନ୍ଧରେ ଅସାମାଜିକଙ୍କ ଆଡ୍ଡା ଜମିବା ସହ ବିଭିନ୍ନ ଆପରାଧିକ କାର୍ଯ୍ୟ ଘଟୁଥିଲା। ଏ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଓ ପୋଲିସ ଉପସ୍ଥିତିରେ ଉକ୍ତ ବେଆଇନ ଘରକୁ ଜେସିବି ସାହାଯ୍ୟରେ ଭାଙ୍ଗି ଦିଆଯାଇଛି। ଉକ୍ତ ଘରକୁ ଉଠାଇବା ପାଇଁ ବହୁ ଦିନରୁ ଦାବି ହୋଇଆସୁଥିଲା। ଘରଭଙ୍ଗା ସମୟରେ ରଘୁନାଥପୁର ତହସିଲଦାର ରୁପାଲିକା ଦାସ, ଅତିରିକ୍ତ ତହସିଲଦାର ମାନସ କୁମାର ତ୍ରିପାଠୀ, ବିଲୁଆଖାଇ କେନାଲ ସବ୍‌ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଦଳପତି ମଣ୍ଡଳଙ୍କ ସମେତ ରଘୁନାଥପୁର ଥାନା ପୋଲିସ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ମଣ୍ଡଳଙ୍କୁ ପଚାରିବାରେ ଚୋରା ମଦ କାରବାର ଯୋଗୁ କେନାଲ ବନ୍ଧରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିବା ବେଳେ ସାଧାରଣ ଲୋକଙ୍କ ଯା’ଆସ ବେଳେ ଅସୁବିଧା ହେଉଥିଲା। ତେବେ ଆଗାମୀ ଦିନରେ ଏଭଳି ପରିସ୍ଥିତି ଯେପରି ସୃଷ୍ଟି ନ ହେବ, ସେ ନେଇ ଉକ୍ତ ବେଆଇନ ଘରକୁ ଭାଙ୍ଗି ଦିଆଯାଇଛି ବୋଲି କହିଛନ୍ତି।

Share