ବେଆଇନ ଜବରଦଖଲ: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅମରପାଲି, ୧୮ା୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ତିଲେଇମାଲ ଗ୍ରାମବାସୀ ସୋମବାର ଗ୍ରାମର ବେଆଇନ ଜବରଦଖଲ ଉଚ୍ଛେଦ କରିବା ପାଇଁ ତହସିଲଦାରଙ୍କୁ ଦାବିପତ୍ର ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତିଲେଇମାଲ ମୌଜାକୁ ଲାଗି ଜଙ୍ଗଲ ଜମି ଅଛି । ଏହା ପ୍ରାୟ ୩ଶହ ଏକରରୁ ଉର୍ଦ୍ଧ୍ୱ ହେବ। ଗ୍ରାମବାସୀଙ୍କ ଅଭିଯୋଗମତେ ଗତ ୧୭ତାରିଖରେ ଖଣ୍ଡହତା ରାଜସ୍ବ ନିରୀକ୍ଷକ ତିଲେଇମାଲ ଜଙ୍ଗଲକୁ ଆସି ବେଆଇନ ପାଇଥିବା ଜମିପଟ୍ଟାର ତଦନ୍ତ କରୁଥିବା ସମୟରେ ଅଚିହ୍ନା ବ୍ୟକ୍ତିମାନଙ୍କ ନାମରେ ଥିବା କହିଥିଲେ। ଜମିପଟ୍ଟା ପାଇଥିବା ବ୍ୟକ୍ତି ତିଲେଇମାଲର ନୁହନ୍ତି। ଅଭିଯୋଗକାରୀଙ୍କ ମତରେ ତାଙ୍କ ଗ୍ରାମରେ ଅନେକ ଗରିବ ଓ ଭୂମିହୀନ ପରିବାର ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜମିପଟ୍ଟା ମିଳିପାରି ନାହିଁ। ମାତ୍ର ଚଞ୍ଚକତା କରି କେତେକ ବାହାରି ବ୍ୟକ୍ତିଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଯେଉଁମାନେ ପଟ୍ଟା ପାଇଛନ୍ତି ସେହି ଜମିକୁ ଲାଗି ଜଙ୍ଗଲ ଜମିରେ ଥିବା ବଡବଡ ଗଛ ସବୁ କାଟି ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି । ଏଣୁ ଯେଉଁମାନେ ବେଆଇନ ଜବରଦଖଲ ପଟ୍ଟା ପାଇଛନ୍ତି ତାକୁ ଖାରଜ କରିବା ସଙ୍ଗେସଙ୍ଗେ ତିଲେଇମାଲ ଗ୍ରାମର ଗରୀବ ଭୁମିହୀନଙ୍କୁ ବଣ୍ଟନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।