ବେଆଇନ ନିଯୁକ୍ତି ଘଟଣା: ଲ୍ୟାମ୍ପ୍ସ ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର,୧୧।୧(ସ୍ବ.ପ୍ର.) : ଓଡ଼ିଶା ସମବାୟ ସମିତିର ନୀତିନିୟମକୁ ବେଖାତିର କରି ବେଆଇନ ଭାବେ ପରିଚାଳନା ନିର୍ଦ୍ଦେଶକ ପଦବୀରେ ଜଣଙ୍କୁ ନିଯୁକ୍ତି ଦେବା ଓ ଏନେଇ ବାରମ୍ବାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଥିଲେ ହେଁ ଆଦେଶକୁ ଅବମାନନା କରିବା ଅଭିଯୋଗରେ ପଳାଶପଙ୍ଗା ଲ୍ୟାମ୍ପ୍ସ ସଭାପତି ପ୍ରେମାନନ୍ଦ ସିଂଙ୍କୁ ଡେପୁଟି ରେଜିଷ୍ଟ୍ରାର, କେନ୍ଦୁଝର ଡିଭିଜନ, ଓଡ଼ିଶା ସମବାୟ ସମିତି ଆଇନ ୧୯୬୨ ଧାରା ୩୨(୫)(୮) ଅନୁଯାୟୀ, ତିନି ବର୍ଷ ପାଇଁ କମିଟି ସଦସ୍ୟରୁ ହଟାଇ ଦିଆଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହା ଚିଠି ନମ୍ବର ୧୪୨୯ / ତା.୧୯ା୧୨ା୨୦୧୯ରୁ ଜଣାଯାଇଛି। ଗାଇଡ୍‌ଲାଇନ ଅନୁଯାୟୀ, ପୁନର୍ବାର ନିଯୁକ୍ତି କରିବାକୁ ଚିଠି ନମ୍ବର ୧୦୬୪/୧୧ା୧୦ା୨୦୧୯ରେ କୁହାଯାଇଥିଲେ ହେଁ ସେ ପାଳନ ନ କରିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।ଏନେଇ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ସଭାପତି କାନନ ବିହାରୀ ପହି କହିଛନ୍ତି, ସମବାୟ ବିଭାଗର ନୀତିନିୟମକୁ ଖିଲାପ କରି ନିଯୁକ୍ତି ଦେଇଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।