ବେଆଇନ ପଥର ଖନନ ବନ୍ଦ ଦାବି

ବନ୍ତଳା,୪।୧୨(ଡି.ଏନ.ଏ.)-ଅନୁଗୋଳ ଜିଲା ବନ୍ତଳା ଥାନା ଚମ୍ପତ୍ତିମୁଣ୍ଡା ରାଜସ୍ବ କାର୍ଯ୍ୟାଳୟ ଅଧୀନରେ ଥିବା ନନ୍ଦପୁର ପଞ୍ଚାୟତ ଚନ୍ଦନପୁର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ପଥର ଖୋଳାଯାଇ ଚୋରା ଚାଲାଣ ହେଉଛି। ଏ ନେଇ ଚନ୍ଦନପୁର ଗ୍ରାମବାସୀ ସୋମବାର ଅନୁଗୋଳ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ଗ୍ରାମରେ ସଂରକ୍ଷିତ ଜଙ୍ଗଲ ପାହାଡ଼କୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ବେଆଇନ ଭାବେ ନଷ୍ଟ କରୁଛନ୍ତି। ସେମାନେ ମେଶିନ ସାହାଯ୍ୟରେ ପାହାଡ଼ ଖନନ କରି ମୂଲ୍ୟବାନ ପଥର ଚୋରାରେ ବାହାରକୁ ଚାଲାଣ କରୁଛନ୍ତି। ଏ ନେଇ ରବିବାର ଗ୍ରାମବାସୀ ବିରୋଧ କରିବା ସହିତ ପଥରଖୋଳା ହାଇଓ୍ବା ମେଶିନ ସହିତ ଟିପ୍ପରକୁ ଅଟକାଇ ଥିଲେ। ପରେ ଘଟଣା ସମ୍ପର୍କରେ ବନ୍ତଳା ପୋଲିସ, ତହସିଲଦାର, ଆରଆଇ, ଉପଜିଲାପାଳଙ୍କୁ ଜଣାଇଥିଲେ। ହେଲେ କୌଣସି ଅଧିକାରୀ ଘଟଣାସ୍ଥଳକୁ ଆସି ନ ଥିଲେ। ପରେ ମାଫିଆମାନେ ଗୁଣ୍ଡା ଲଗାଇ ଗ୍ରାମବାସୀଙ୍କୁ ଧମକ ଦେଇ ଭୟଭୀତ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ପଦକ୍ଷେପ ନେବାକୁ ଗ୍ରାମ ସଭାପତି ଦାଶରଥି ଦେହୁରୀ, ସମ୍ପାଦକ ନରେଶ ନାୟକ, ଦେବାଶିଷ ପ୍ରଧାନ, ଦେବାଶିଷ ନାୟକ, ପ୍ରତାପ ଦେହୁରୀ, ଅନିଲ ସାହୁ, ସଞ୍ଜୟ ପରିଡା, ରାଜକିଶୋର ନାୟକ, ଦିଗାମ୍ବର ସାହୁ, ଭୋଲେଶ୍ୱର ପ୍ରଧାନ, ବିନୋଦ ନାୟକ, ମାନଶ ପରିଡ଼ା ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଗ୍ରାମ ସଭାପତି ଦାଶରଥି ଦେହୁରୀ, ସମ୍ପାଦକ ନରେଶ ନାୟକ, ସଦସ୍ୟ, ଦେବାଶିଷ ପ୍ରଧାନ, ଅନିଲ ସାହୁ କହିଛନ୍ତି, ୧୦ ବର୍ଷ ପୂର୍ବେ ସୀମା ବିବାଦକୁ ନେଇ ଉଭୟ ପୁରୁଣାଗଡ଼ ବଡ଼ଦାଣ୍ଡ ସାହି ଓ ଚନ୍ଦନପୁର ଗ୍ରାମବାସୀଙ୍କ ମଧ୍ୟରେ ଏକ ଚୁକ୍ତିପତ୍ର ହୋଇ ସମାଧାନ ହୋଇଥିଲା। ପରେ ଉକ୍ତ ସ୍ଥାନରେ ପିଲର ପୋତା ଯାଇଥିଲା। କିନ୍ତୁ ରବିବାର ଜଣେ ପ୍ରଭାବଶାଳୀ ବ୍ୟକ୍ତି ମେଶିନ ସାହାଯ୍ୟରେ ପଥର ଖୋଳି ଗ୍ରାମ୍ୟ ଜଙ୍ଗଲରୁ ନେଉଥିବା ସମୟରେ ଗ୍ରାମବାସୀ ବିରୋଧ କରିଥିଲେ। ପରେ ପଥର ଖୋଳା ମେଶିନ, ହାଇଓ୍ବାକୁ ଅଟକ ରଖି ପୋଲିସ, ତହସିଲଦାର, ଉପଜିଲାପାଳଙ୍କୁ ସୂଚନା ଦିଆଯିବା ସହ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। କିନ୍ତୁ କୌଣସି ଅଧିକାରୀ ଆସିଲେ ନାହିଁ। ସୋମବାର ଶତାଧିକ ଲୋକଙ୍କୁ ଧରି ଗ୍ରାମବାସୀଙ୍କୁ ଧମକ ଦେଇ ଜୋର ଜବରଦସ୍ତ ମେଶିନ ଓ ହାଇଓ୍ବା ଗାଡି ନେଇଗଲେ।