ବେଆଇନ ପଥର ବ୍ଲାଷ୍ଟିଂ: ଭାଙ୍ଗିଲା ଘରର ଆଜ୍‌ବେଷ୍ଟସ

ଦାରିଙ୍ଗବାଡ଼ି,୧୧।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା କାର୍ଯ୍ୟ ଚାଲିଛି। ତେବେ ରାସ୍ତା ସଂପ୍ରସାରଣ ବେଳେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରାଯାଉଛି। ଗ୍ରାମର ପୀତାମ୍ବର ମଲିକଙ୍କ ଘର ଛପର ଉପରେ ପଥର ପଡ଼ି ଆଜବେଷ୍ଟସ ଭାଙ୍ଗି ଯାଇଥିବା କହିଛନ୍ତି । ସେହିପରି ବ୍ଲାଷ୍ଟିଂ ଶଦ୍ଦ ଏତେ ଅଧିକ ଥିଲା ଯେ ଏକାଧିକ ଲୋକଙ୍କ ଘରେ ଫାଟ ସୃଷ୍ଟି ହେବା ସହ ବହୁ ଦୂର ପର୍ଯ୍ୟନ୍ତ ପଥର ଚାଷଜମିରେ ପଡ଼ିଛି। ଫଳରେ ଲୋକେ ଏବେ ସେହି ରାସ୍ତାରେ ଯାତାୟାତ ପାଇଁ ଭୟ କରୁଛନ୍ତି। ଲୋକଙ୍କୁ ପଥର ବ୍ଲାଷ୍ଟିଂ ସମ୍ବନ୍ଧୀୟ କୌଣସି ଆଗୁଆ ସୂଚନା ଦିଆଯାଉ ନ ଥିବା ବେଳେ ଠିକା କମ୍ପାନୀ ନିଜ ଇଚ୍ଛା ଅନୁସାରେ କରୁଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ରାସ୍ତାରେ ଏକାଧିକ ଥର ବ୍ଲାଷ୍ଟିଂ କରାଯାଇଥିବା ବେଳେ ଏନେଇ ପୋଲିସ ନିକଟରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆଇଆଇସି କୌଶିକ ମାଝି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ରାସ୍ତାର କନ୍ଦୁବାଡ଼ିଠାରୁ ସିକନବାଡ଼ି ୩କିମିକୁ ୧କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିନିମୟରେ ସଂପ୍ରସାରଣ କରାଯାଉଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ନିମୁରାମ ଟୁଡୁ କହିଛନ୍ତି।