ବେଆଇନ ବାଣ କାରଖାନାରେ ଚଢ଼ାଉ,୩ ଗିରଫ

ଆସିକା,୧୦ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଆସିକା ଥାନା ନଳବଣ୍ଟା ଗ୍ରାମରେ ବେଆଇନ ଭାବେ ଚାଲିଥିବା ୭ ବାଣ କାରଖାନା ଉପରେ ପୋଲିସ ସୋମବାର ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ବାଣ ଓ ବାରୁଦ ଜବତ କରାଯାଇଛି ା ଜବତ ବାଣ ଓ ବାରୁଦର ମୂଲ୍ୟ ୭୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଇଛି ା ଏହି ଘଟଣାରେ ଉକ୍ତ ଗ୍ରାମର ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସନ୍ତୋଷ କୁମାର ପାଢୀ, ଦିବାନ ସେଠୀ ଓ ବିପ୍ର ସେଠୀ ା କାରଖାନାରୁ ଫେରାର୍‌ ଥିବା ଅନ୍ୟ ୬ ଜଣଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଥିବା ପୋଲିସ ସୂଚନା ଦେଇଛି।
ଆସିକା-ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥରେ ଥିବା ନଳବଣ୍ଟା ଗ୍ରାମରେ ପ୍ରସ୍ତୁତ ହେଉଥିବା ବାଣର ଚାହିଦା ରହିଛି। ଏହାର ସୁଯୋଗ ନେଇ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ସାହିବସ୍ତିରେ ଥିବା ଘର ଓ ଗ୍ରାମ ସଂଲଗ୍ନ ପରିତ୍ୟକ୍ତ ସ୍ଥାନରେ କୁଡିଆ କରି ରୀତିମତ ବାଣ ପ୍ରସ୍ତୁତି ଚଳାଇ ଆସୁଛନ୍ତି ା ବାଣ ପ୍ରସ୍ତୁତିରେ ପିଲାଙ୍କଠାରୁ ଆରମ୍ଭ କରି ମହିଳାମାନଙ୍କୁ ମଧ୍ୟ ନିୟୋଜିତ କରାଯାଉଛି ା ବିଭିନ୍ନ ସମୟରେ ବାଣ ପ୍ରସ୍ତୁତ ବେଳେ ବିସ୍ଫୋରଣ ଘଟି ବହୁ ଧନଜୀବନ ନଷ୍ଟ ହୋଇଥିବା ମଧ୍ୟ ନଜିର ରହିଛି ା ଆଗକୁ ଦଶହରା ଓ ଦିପାବଳୀ ଆସୁଥିବାରୁ
ଜୋରଦାର ବାଣ ପ୍ରସ୍ତୁତି ଚାଲିଛି। ଏଥିରେ ରୋକ ଲଗାଇବା ପାଇଁ ପୋଲିସ ତତ୍ପର ହୋଇଛି। ସୋମବାର ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ତତ୍ତ୍ୱାବଧାନ ଓ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ୬ ଅଧିକାରୀ ଓ ୨ ପ୍ଲାଟୁନ ସଶସ୍ତ୍ର ପୋଲିସ ନଳବଣ୍ଟା ଗ୍ରାମରେ ଚାଲିଥିବା ବାଣ କାରଖାନାରେ ଚଢ଼ାଉ କରିଥିଲେ। ଆସିକା ତହସିଲଦାର ଆଶୁତୋଷ ଗୌରବକର ମାଜିଷ୍ଟ୍ରେଟ ଭାବେ ଉକ୍ତ ଚଢାଉ ବେଳେ ଉପସ୍ଥିତ ଥିଲେ ା ମୋଟ ୭ଟି କାରଖାନା ଉପରେ ଚଢ଼ାଉ କରାଯାଇ ପ୍ରସ୍ତୁତ ହୋଇ ରହିଥିବା କୁମ୍ପି, ମଥାପି, ହାବେଳି, ଉଚ୍ଚଶବ୍ଦ ସୃଷ୍ଟି କରୁଥିବା ଫୋଟକା ବାଣ ଏବଂ ବହୁ ପରିମାଣର ଗନ ପାଉଡର, ସୁରାଖାର, ଗନ୍ଧକ, ଅଙ୍ଗାର ଆଦି ଜବତ କରାଯାଇଛି ା ଜବତ ବାଣ ଓ ବାରୁଦକୁ ୭ଟି ପିକଅପ୍‌ ଭ୍ୟାନ ଯୋଗେ ଅଣାଯାଇ ଥାନା ପଛପଟେ ରଖାଯାଇଛି। ଏ ନେଇ ପୃଥକ ୭ ମାମଲା (ନଂ.୩୦୭, ୩୦୮, ୩୦୯, ୩୧୦, ୩୧୧, ୩୧୨ ଓ ୩୧୩/୧୯) ରୁଜୁ କରାଯାଇଥିବା ଥାନା ଅଧିକାରୀ ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନଳବଣ୍ଟାରେ ବେଧଡକ ଭାବେ ଚାଲିଥିବା ବାଣ କାରଖାନାରେ ପୂର୍ବରୁ ରୀତିମତ ପୋଲିସ ଚଢାଉ କରୁଥିଲେ ମଧ୍ୟ ଏତେ ପରିମାଣର ବାଣ ଓ ବାରୁଦ କେବେ ଜବତ ହୋଇ ନ ଥିଲା ା

Share