Categories: ଭଦ୍ରକ

ବେଆଇନ ବାଣ ତିଆରି ସାମଗ୍ରୀ ଜବତ: ୨ ଗିରଫ

ଭଦ୍ରକ ଅଫିସ/ଚାନ୍ଦବାଲି, ୨୬।୧୦(ଡି.ଏନ.ଏ.) – ଭଦ୍ରକ ଜିଲା ପୁରୁଣାବଜାର ଓ ବାଂଶଡ଼ା ଥାନା ପୋଲିସ ଶୁକ୍ରବାର ଚଢ଼ାଉ କରି ବେଆଇନ ବାଣ ତିଆରି ସାମଗ୍ରୀ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ, ପୁରୁଣାବଜାର ପୋଲିସ ଗିରଫ କରିଥିବା ଯୁବକ ହେଲେ ପଠାଣସାହି ମିର୍ଜାପୁର ଗଁାର ଗୋରା ଖାନ୍‌। ତାଙ୍କ ନିକଟରୁ ବିଭିନ୍ନ ବାଣ ପ୍ରସ୍ତୁତ ସାମଗ୍ରୀ ଓ ବାଣ ଜବତ କରାଯାଇଥିବା ବେଳେ ହଳଦୀଡିହ ବାଇପାସ୍‌ର ସେକ୍‌ ଗୋଲାମ ପୋଲିସକୁ ଦେଖି ଫେରାର ହୋଇଯାଇଛନ୍ତି। ସେକ୍‌ ଗୋଲାମଙ୍କ ଘରୁ ବ୍ୟାପକ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି। ଗିରଫ ଗୋରାଙ୍କ ବିରୋଧରେ ମାମଲା(ନଂ.୨୧୨/୧୯) ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଫେରାର ସେକ୍‌ ଗୋଲାମଙ୍କ ବିରୋଧରେ ଥାନାରେ ମାମଲା(ନଂ.୨୧୩/୧୯) ରୁଜୁ ହୋଇଛି।
ସେହିପରି ବାଂଶଡ଼ା ଥାନା ଅଧୀନ ଜଳେଶ୍ୱରପୁର ପଞ୍ଚାୟତ ନୂଆଗଁା ଇଚ୍ଛାପୁର ଗଁାରେ ବେଆଇନ ଭାବେ ବାଣ ତିଆରି ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଗୟାଧର ମହାଳିକ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବା ସହିତ ତାଙ୍କ ଘରୁ ବାଣ ତିଆରି ସାମଗ୍ରୀ ଓ ବାଣ ଜବତ କରିଛି। ଏ ନେଇ ଥାନାରେ ଏକ ମାମଲା(ନଂ.୨୪୯/୧୯) ରୁଜୁ କରାଯାଇ ଗୟାଧରଙ୍କୁ କୋର୍ଟ ଚାଲାଣ କରାଯାଇଛି।