‘ବେଆଇନ ବାଲିଚାଲାଣ ଉପରେ ଲଗାମ ଲଗାଯିବ’

ଜଳେଶ୍ୱର, ୧୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲାର ନୂତନ ଜିଲାପାଳ ଭାବେ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଦାୟିତ୍ୱ ନେବା ପରେ ଗୁରୁବାର ପୂର୍ବାହ୍ନରେ ଜଳେଶ୍ୱର ତହସିଲ ପରିସରରେ ଅଚାନକ ପହଞ୍ଚିଥିଲେ। ତହସିଲଦାର ଅଭିମନ୍ୟୁ ପଣ୍ଡା ଉପସ୍ଥିତ ଥିଲେ ମଧ୍ୟ କାର୍ଯ୍ୟାଳୟରେ କେତେକ କର୍ମଚାରୀ ଅନୁପସ୍ଥିତ ଥିଲେ। ଜିଲାପାଳ ପହଞ୍ଚିବାର ୨ ଘଣ୍ଟା ପୂର୍ବରୁ ତହସିଲଦାର ନିଜ ଅଧସ୍ତନ କର୍ମଚାରୀଙ୍କୁ ନେଇ ୬ଟି ବେଆଇନ୍‌ ବାଲି ଓ ପଥର ବୋଝେଇ ଡମ୍ପର ଜବତ କରି ତହସିଲ ପରିସରରେ ରଖିଥିଲେ। ଯାହାକୁ ନେଇ ଜିଲାପାଳ ଉକ୍ତ ବେଆଇନ ବାଲି ଓ ପଥର ଚାଲାଣ ଉପରେ ତହସିଲଦାରଙ୍କୁ ପଚାରି ବୁଝିଥିଲେ। ଜିଲାପାଳ ନିଜ ସହିତ ଏଡିଏମ୍‌ ସମ୍ବିତ୍‌ କୁମାର ନାୟକ, ଉପଜିଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଉପଜିଲାପାଳ ସରୋଜ ସାମଲ, ତହସିଲଦାର ଓ ଅନ୍ୟ କର୍ମଚାରୀଙ୍କୁ ସାଙ୍ଗରେ ନେଇ ସୁବର୍ଣ୍ଣରେଖା ନଦୀର ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ରାଇବଣିଆ ଥାନା ଅଞ୍ଚଳର ବିଳାସପୁର, ରାଜନଗର, ମାକିଡ଼ିଆ, ତୁଟାପଡ଼ା, ବେହେରାସାହି ଆଦି ବାଲି ସୈରାତଗୁଡ଼ିକ ପରିଦର୍ଶନ କରିଥିଲେ। ଦୀର୍ଘଦିନ ଧରି ପଶ୍ଚିମବଙ୍ଗ ରାଜ୍ୟ ସହିତ ଲାଗି ରହିଥିବା ନଦୀର ସୀମାବିବାଦକୁ ନେଇ ଜିଲାପାଳ ତହସିଲଦାରଙ୍କଠାରୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝିଥିଲେ। ଉକ୍ତ ସୀମା ବିବାଦକୁ ନେଇ ଶୁକ୍ରବାର ପଶ୍ଚିମବଙ୍ଗ ରାଜ୍ୟ ପଶ୍ଚିମ ମେଦିନୀପୁର ଜିଲା ସଦର ମହକୁମାଠାରେ ଉଭୟ ରାଜ୍ୟର ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଥିବାରୁ ଜିଲାପାଳ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଉଥିବା ଦେଖାଯାଇଥିଲା। ଜିଲାପାଳଙ୍କ ଅଚାନକ ଗସ୍ତକୁ ନେଇ ତହସିଲ, ବ୍ଲକ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଏକପ୍ରକାର କୋକୁଆ ଭୟ ଦେଖିବାକୁ ମିଳିଥିଲା। ଏପରିକି ପୋଲିସ ଅଧିକାରୀ ତଥା କର୍ମଚାରୀ ମଧ୍ୟ ଆଲର୍ଟ ଥିବା ଦେଖାଯାଇଥିଲା। ବେଆଇନ ବାଲି ଚାଲାଣ, ଉତ୍ତୋଳନ ଓ ଠୁଳ କରି ରଖିବା ଉପରେ ଲଗାମ ଲଗାଯିବ ବୋଲି ଜିଲାପାଳ କେ.ସୁଦର୍ଶନ ପ୍ରକାଶ କରିଥିଲେ।

Share