ବେଆଇନ ବାଲି ଚାଲାଣ:ଜେସିବି ସମେତ ୭ ଟ୍ରାକ୍ଟର ଜବତ

ଜଳେଶ୍ୱର, ୨୯।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ଶିଖରପୁର, ଅଗ୍ରୱାଲାଛକ, ତେଗଡ଼ିଆ, ପଢ଼ିଆରିପୁର ଓ ପଞ୍ଚୁଘଣ୍ଟା ଆଦି ସୁବର୍ଣ୍ଣରେଖା ନଦୀର ବିଭିନ୍ନ ବାଲି ଉତ୍ସରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇ ଡମ୍ପଂ କରି ରଖାଯାଉଛି। ଉକ୍ତ ସ୍ଥାନରୁ ଦୈନିକ ଶହ ଶହ ଟ୍ରାକ୍ଟର ଓ ଡମ୍ପର ଯୋଗେ ପଶ୍ଚିମବଙ୍ଗକୁ ବାଲିମାଫିଆମାନେ ବେଆଇନ ଭାବେ ଚୋରାଚାଲାଣ କରି ବେଶ୍‌ ମାଲାମାଲ ହେଉଛନ୍ତି। ଏନେଇ ଅଭିଯୋଗ ହେବା ପରେ ବାଲେଶ୍ୱର ଜିଲାପାଳ ରମେଶଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦୀର୍ଘ ୪ଘଣ୍ଟା ଧରି ଉକ୍ତ ବେଆଇନ ବାଲି ଡମ୍ପଂସ୍ଥଳରେ ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା, ଆରଆଇ ମାନସ ବେହେରା, ରାଧାବଲ୍ଲଭ ରଣଜିତ୍‌, ଅମିନ ଶିବେଲାଲ ମୁର୍ମୁ, କର୍ମଚାରୀ ଧୀରେନ୍ଦ୍ର ମାରାଣ୍ଡି, ରଘୁନାଥ ଭୂୟଁାଙ୍କୁ ସାଙ୍ଗରେ ନେଇ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଚଢାଉରେ ବଡ଼ ଚେନ ଲଗା ଜେସିବି ମେଶିନ ସମେତ ୭ ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ଏଥିସହିତ ପୂର୍ବରୁ ଗଚ୍ଛିତ କରି ରଖାଯାଇଥିବା ବାଲିର ଆକଳନ କରାଯାଇ ଆର୍ଥିକ ଜରିମାନା ଆଦାୟ ପାଇଁ ତହସିଲଦାର ଆରଆଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜବତ୍‌ ଟ୍ରାକ୍ଟର ଓ ଜେସିବିଠାରୁ ଲକ୍ଷାଧିକ ଟଙ୍କା ଜରିମାନା ଆକାରରେ ଆଦାୟ କରାଯିବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ୨ମାସ ଧରି ଜଳେଶ୍ୱର ତହସିଲଦାରଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ସାଧାରଣ ନିର୍ବାଚନ ଡ୍ୟୁଟିରେ ବ୍ୟସ୍ତ ଥିବା ବେଳେ ବାଲିମାଫିଆ ମାନେ ବେଧଡ଼କ ଭାବେ ପଶ୍ଚିମବଙ୍ଗକୁ ବାଲି ଚାଲାଣ କରି ଆସୁଥିଲେ।