ବେଆଇନ ବାଲି ଚାଲାଣ: ୪୫ ହଜାର ଜରିମାନା ଆଦାୟ

ସିଂହପୁର,୧।୨(ଡି.ଏନ୍‌.ଏ.) : ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରୀ ତହସିଲ ଅଧିନସ୍ଥ ଖରସ୍ରୋତା ନଦୀର ମଧୁସୂଦନପୁର ଘାଟ ନିକଟରୁ ଶନିବାର ବେଆଇନ ବାଲି ଚାଲାଣ ବେଳେ ମୋଟ୍‌ ୫ଟି ଟ୍ରାକ୍ଟରକୁ ବରୀ ତହସିଲଦାର ଜବତ କରିଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ଦୀର୍ଘଦିନ ହେବ ଏହି ଘାଟ ନିକଟରୁ ବେଆଇନ ଭାବେ ଘାଟକୂଳ, ସୁନ୍ଦରପୁର, ଚକ୍ରପୁର ଘାଟ ଓ ମନେଇଗଣ୍ଡରୁ ବାଲି ଚାଲାଣ କରାଯାଉଥିଲା। ତେବେ ଆଜି ବରୀ ତହସିଲଦାର ପୁଷ୍ପଶ୍ରୀ ସାଣ୍ଡିଲ୍‌ ଓ ଆରଆଇ ସୁମନ୍ତ ମଲିକ, ବିଞ୍ଝାରପୁର ପୋଲିସ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ବେଆଇନ ଭାବେ ବାଲି ଉଠାଉଥିବା ୫ଟି ଟ୍ରାକ୍ଟର ଜବତ କରିଛନ୍ତି। ୪ଟି ଟ୍ରାକ୍ଟରଠାରୁ ୪୫ ହଜାର ଟଙ୍କା ଜରିମାନା ଆଦାୟ କରି ଛାଡିଦେଇଥିବା ବେଳେ ଅନ୍ୟ ଗୋଟିଏ ଟ୍ରାକ୍ଟରକୁ ବରୀ ତହସିଲଦାର ପୋଲିସର ଜିମା ଦେଇଛନ୍ତି। ବିଞ୍ଝାରପୁର ତହସିଲ ଅଧୀନରେ ମଧ୍ୟ ବିଭିନ୍ନ ସ୍ଥାନରେ ଖରସ୍ରୋନା ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି। ବିଞ୍ଝାରପୁର ତହସିଲ କର୍ତ୍ତୃପକ୍ଷ ଏହିସବୁ ବାଲିଘାଟ ଉପରେ ଚଢ଼ାଉ କରି ବେଆଇନ ବାଲି କାରବାର ରୋକିବାକୁ ସାଧାରଣରେ ଦାବି ହେଉଛି।

Share