ବେଆଇନ ବାଲି ପରିବହନ ଉପଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଘସିପୁରା,୧୫।୧୨(ଡି.ଏନ.ଏ.)-ବୈତରଣୀ ନଦୀର ଏକ ଘାଟରୁ ବେଆଇନ ଭାବେ ବାଲିପରିବହନକୁ ନେଇ ସ୍ଥାନୀୟ ଗ୍ରାମବାସୀ ଆନନ୍ଦପୁର ଉପଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ବାରମ୍ବାର ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ଲିଜ୍‌ ଧାରୀ ଲିଜ ଅଞ୍ଚଳ ବାହାରେ ବ୍ରାହ୍ମଣୀଦେବୀ ମନ୍ଦିର ଘାଟରୁ ବଳପୂର୍ବକ ବାଲି ଉତ୍ତୋଳନ କରି ଜନବସତି ମଧ୍ୟରେ ବାଲି ପରିବହନ କରୁଥିବା ଅଭିଯୋଗ ହୋଇଛି। ଏନେଇ କେତେକ ଗ୍ରାମବାସୀ ଆନନ୍ଦପୁର ଉପଜିଲାପାଳଙ୍କୁ ସାକ୍ଷାତ ଆଲୋଚନା କରିବା ସହିତ ଏହି ବେଆଇନ କାରବାରକୁ ବନ୍ଦ କରିବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତିି। ଉକ୍ତ ଘାଟକୁ ତହସିଲ ପକ୍ଷରୁ ନିଲାମ ଦିଆଯାଇ ନ ଥିବା ବେଳେ ଦୀର୍ଘଦିନ ହେବ ଏହି ଅଞ୍ଚଳରେ ନଦୀଘାଟକୁ ରାସ୍ତା ତିଆରି କରି ବାଲି ପରିବହନ ବେଧଡ଼କ ଭାବେ ଚାଲିଛି। ଏହାଦ୍ୱାରା ଲୋକଙ୍କ ବ୍ୟବହୃତ ଘାଟ ବିପଦସଙ୍କୁଳ ହେଉଛି। ସେହିପରି ଅଣ ଓସାରିଆ ରାସ୍ତାରେ ହାଇୱା ଆଦି ଭାରିଯାନରେ ବାଲି ପରିବହନ କରା ଯାଉଥିବାରୁ ତାହା ଧନଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଜନବସତି ଥିବା ବେଳେ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନୱାଡ଼ି ଓ କଲେଜ ମଧ୍ୟ ରହିଛି। ଭାରିଯାନ ଚଳାଚଳ ଦ୍ୱାରା ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ସୋନୁ ଜେନା, ଲିପୁନ ଜେନା, ସ୍ଯଯପ୍ରକାଶ ରାଉତ, ତ୍ରିଲୋଚନ ଜେନା,ଦୀପକ ମିଶ୍ର, ତରଣୀସେନ ସିଂ, ଦୁଃଖବନ୍ଧୁ ଦେହୁରୀ, ଏଚ୍‌ କେ ମଲ୍ଲିକ, ପ୍ରଶାନ୍ତ ସିଂ ଙ୍କ ସମେତ ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଅପରପକ୍ଷେ ଏ ସମ୍ପର୍କରେ ଆନନ୍ଦପୁର ତହସିଲଦାର ତପନ କୁମାର ନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବୈତରଣୀ ନଦୀର ଟୁକୁଣା ଘାଟକୁ ନିଲାମ ଦିଆଯାଇଛି । କିନ୍ତୁ ଯଦି ଲିଜଧାରୀ ଅନ୍ୟ ଅଞ୍ଚଳରୁ ବାଲି ଉଠାଉଥିବେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Share