ବେଆଇନ ଭାବେ ଗଞ୍ଜାମରେ ପ୍ରବେଶ କରୁଛନ୍ତି ଲୋକେ: ଏନ୍‌ଏଚ୍‌-୧୬, ସୀମାନ୍ତରେ ଯାଞ୍ଚ କରୁଛି ଟିମ୍‌

ଛତ୍ରପୁର, ୨।୫(ଡି.ଏନ୍‌.ଏ.)- କରୋନା ଜାରି ରହିଥିବା ଲକ୍‌ଡାଉନ୍‌ ସତ୍ତ୍ୱେ ଲୋକେ ବିଭିନ୍ନ ଗାଡିରେ ବେଆଇନ ଭାବେ ଗଞ୍ଜାମ ଜ଼ିଲାକୁ ପ୍ରବେଶ କରିବାରେ ଲାଗିଛନ୍ତି। ଅପରପକ୍ଷରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମର ବିଭିନ୍ନ ସୀମା, ଜାତୀୟ ରାଜପଥ-୧୬ରେ ପରିବହନ, ପୋଲିସ ରାଜସ୍ବ ବିଭାଗର ଅଧିକାରୀଙ୍କ ନେତୃତ୍ୱରେ ମିଳିତ ଯାଞ୍ଚ କରାଯାଉଛି। ଶନିବାର ଯାଞ୍ଚର ୧୩ ତମ ଦିବସରେ ଆନ୍ଧ୍ର, ଖୋର୍ଦ୍ଧା, ପୁରୀ ଜ଼ିଲା ସୀମାକୁ ସିଲ୍‌ କରି ଅସ୍ଥାୟୀ ଚେକ୍‌ଗେଟ କରାଯାଇ ଏହି ଯାଞ୍ଚ କରାଯାଉଛି। ଗଞ୍ଜାମ – ଆନ୍ଧ୍ର ସୀମାନ୍ତ ବଳରାମପୁର, ୧୬ନଂ ଜାତୀୟ ରାଜପଥ ଗୁରାପଲ୍ଲୀ ଚେକ ଗେଟ୍‌ ଠାରେ ପୋଲିସ ତନଖି ଫାଟକ ଖୋଲାଯାଇଛି। ସେହିଭଳି ଅନ୍ୟ ଜିଲାରୁ କିଛି ଲୋକ ବିଭିନ୍ନ ଟ୍ରକ, ଆମ୍ବୁଲାନ୍ସରେ ଗଞ୍ଜାମ ଜ଼ିଲାକୁ ଆସୁଛନ୍ତି। ଏମାନେ କିଭଳି ଜ଼ିଲାକୁ ଅସୁରକ୍ଷିତ ଓ ବେଆଇନ ଭାବେ ପ୍ରବେଶ ନ କରିପାରିବେ ସେଥିପାଇଁ ଯାଞ୍ଚ କଡାକଡି କରାଯାଇଛି। ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶରେ ଏହି ଯାଞ୍ଚ ଚାଲିଥିବା ଗଞ୍ଜାମ ଆର୍‌ଟିଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି ଯାନବାହନ ଗୁଡିକର ନମ୍ବର, ଯାତ୍ରୀଙ୍କ ସଂଖ୍ୟା, ଯାତ୍ରାର ଉଦ୍ଦେଶ୍ୟ ଏବଂ ମୋବାଇଲ ନଂ ପଞ୍ଜିକରଣ କରାଯାଉଛି। ସିସି କ୍ୟାମେରା ଲଗାଯିବା ସହ ୨୪ ଘଣ୍ଟିଆ ମନିଟରିଂ ହେଉଥିବା ସୂଚନା ଦିଆଯାଇଛି। ଜ଼ିଲାପାଳଙ୍କ ଦ୍ୱାରା ଗଠିତ ମଲ୍ଟି ଡିସିିପ୍ଳିନାରୀ ସ୍କୁୱାର୍ଡ଼ ଏହା ଉପରେ ନଜର ରଖୁଛନ୍ତି। ଜାତୀୟ ରାଜପଥ ଉପରେ ଟ୍ରକ ଆଦି ଗାଡି ପାର୍କିଂ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ଏଥିସହ ମିଳିତ ଟିମ୍‌ ଯାଞ୍ଚ ହୋଇ ଖିଲାପୀଙ୍କୁ ଜରିମାନା କରୁଥିବା ଆର୍‌ଟିଓ କହିଛନ୍ତି।

Share