ବେଆଇନ ମଦ ବିକ୍ରି ନେଇ ତାତିଲେ ମହିଳା:ରାସ୍ତାରେ ଭାଙ୍ଗିଲେ ମଦ ବୋତଲ

ଜଳେଶ୍ୱର, ୧୨ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ସୁଗୋ ପଞ୍ଚାୟତରେ ବେଆଇନ ମଦ କାରବାର ନେଇ ମହିଳା ତାତି ଉଠିଛନ୍ତି। ଏହାକୁ ରୋକିବାକୁ ପୂର୍ବରୁ ବାରମ୍ବାର ଆନ୍ଦୋଳନ, ବିକ୍ଷୋଭ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନି। ଶେଷରେ ଏହି ଅଞ୍ଚଳର ମହିଳାମାନେ ମଙ୍ଗଳବାର ସନ୍ଧ୍ୟାରେ ଏକାଠି ହୋଇ ଚୋରା ମଦ ବେପାରୀଙ୍କ ଘର ଭିତରୁ ଲକ୍ଷାଧିକ ଟଙ୍କାର ଦେଶୀ ଓ ବିଦେଶୀ ମଦ ବୋତଲକୁ ଆଣି ସୁଗୋ-କମାରଶାଳିଆ ରାସ୍ତା ଉପରେ କଚାଡି ଫିଙ୍ଗିଥିଲେ। ଏହାସହ ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଜଳେଶ୍ୱର ଥାନା ପୋଲିସ ପହଞ୍ଚି ଚୋରା ମଦ କାରବାର କରୁଥିବା ବେପାରୀଙ୍କୁ ଗିରଫ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ ଫେରାର ହୋଇଯାଇଥିଲେ। ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ମହିଳା ମାଳତୀ ଭୂୟଁା, ସାବିତ୍ରୀ ପାତ୍ର, ଅଳକା ବାରିକ, ଅନୀତା ଜେନା, ଟୁନୁ ପାତ୍ର, ଜଲି ପାତ୍ର, ଶୀତଳା ଭୂୟଁା ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ।