ବେଆଇନ ମହୁଲି ମଦ ଜବତ: ଅଭିଯୁକ୍ତ ଫେରାର

ଭଦ୍ରକ ଅଫିସ, ୧୪।୪: ଲକ୍‌ଡାଉନ୍‌ ସମୟରେ ଫାଇଦା ଉଠାଉଛନ୍ତି ଚୋରା ମଦ ବେପାରୀ। ଏହି ସମୟରେ ଚଢ଼ା ଦରରେ ମଦ ବିକ୍ରି ପାଇଁ ପଡ଼ୋଶୀ ଜିଲା ବାଲେଶ୍ୱରରୁ ଚୋରାରେ ମଦ ଆଣି ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଜିଲା ଭ୍ରାମ୍ୟମାଣ ଅବକାରୀ ଟିମ୍‌ ମଙ୍ଗଳବାର ବେଆଇନ ଦେଶୀ ମହୁଲି ଭର୍ତ୍ତି ଥିବା ଏକ ହୋଣ୍ଡାସିଟି ଗାଡିକୁ ଜବତ କରିଛି। ଅବକାରୀ ନୀରିକ୍ଷକ ରବିନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଭଗବାନପୁର ନିକଟରୁ ଚଢ଼ାଉ କରି ଏହି ଗାଡିକୁ ଜବତ କରାଯାଇଛି। ତେବେ ଅବକାରୀ ଟିମ୍‌କୁ ଦେଖି ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହି ଚଢ଼ାଉରେ ୪ଶହ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ମହୁଲି ଜବତ ହୋଇଥିବା ସୂଚନା ମିଳିଛି। ସେହିଭଳି ବାସୁଦେବପୁର ବ୍ଲକ ରାଜଘର ପୋଖରୀ ଗାଁରୁ ନେତ୍ରମଣୀ ମହାନ୍ତି ଓ ଅଭିମନ୍ୟୁ ମହାନ୍ତିଙ୍କୁ ଗିରଫ କରାଯାଇ ୭୦ ଲିଟର ବିଦେଶୀ ମଦ ଜବତ କରାଯାଇଛି।