ବେଆଇନ ମାଂସ ଦୋକାନ ହଟାଇବାକୁ ‘ଫିଆପୋ’ର ପ୍ରୟାସ

ଭୁବନେଶ୍ୱର, ୩।୧୧(ବ୍ୟୁରୋ) ଛତୁ ଫୁଟିଲା ଭଳି ରାଜଧାନୀର ରାସ୍ତା କଡ଼ରେ ମାଂସ ଦୋକାନ ଖୋଲୁଛି। ପ୍ରଥମତଃ ଏହା ବେଆଇନ ଅଟେ। ଦ୍ୱିତୀୟରେ ଏହା ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସହ ସ୍କୁଲକୁ ଯାଉଥିବା ପିଲାଙ୍କ ମନରେ ଏକ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି କରୁଛି। ତେବେ ବାରମ୍ବାର ଏହାକୁ ଲୋକଲୋଚନକୁ ଅଣାଗଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ବାହାରି ପାରୁନାହିଁ। ବିଏମ୍‌ସି ପକ୍ଷରୁ ବେଳେ ବେଳେ ଚଢ଼ାଉ କରାଯାଉଛି। କିନ୍ତୁ ପରେ ପୁଣି ସମାନ ପରିସ୍ଥିତି ଦେଖିବାକୁ ମିଳୁଛି। ତେଣୁ ଏହାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ଫେଡେରେଶନ ଅଫ୍‌ ଇଣ୍ଡିଆନ ଆନିମଲ ପ୍ରୋଟେକ୍ସନ ଅର୍ଗାନାଇଜେଶନ(ଫିଆପୋ)। ବିଭିନ୍ନ ସରକାରୀ ତଥା ସାମାଜିକ ଅନୁଷ୍ଠାନର ମିଳିତ ସହଯୋଗରେ ଫିଆପୋ ପକ୍ଷରୁ ଭୁବନେଶ୍ୱରରେ ଜନସାଧାରଣଙ୍କୁ ଅସ୍ବାସ୍ଥ୍ୟକର ଓ ବେଆଇନ ମାଂସକଟା ବିରୋଧରେ ସଚେତନତା କରାଯାଉଛି। ଏହି ପରିପ୍ରେକ୍ଷୀରେ ଶନିବାର ଭେଟେରିନାରି କାଉନ୍‌ସିଲ ହଲ୍‌ଠାରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବେଆଇନ ମାଂସ ଦୋକାନ ଖୋଲିିଲେ ଆଇନଗତ କ’ଣ ପ୍ରାବଧାନ ରହିଛି ସେ ସମ୍ପର୍କରେ ଏଠାରେ ଆଲୋଚନା କରାଯାଇଥିଲା। ଭୁବନେଶ୍ୱରରେ ଯେଉଁଠି ସ୍ବୀକୃତିପ୍ରାପ୍ତ କଂସେଇଖାନା ରହିଛି ତା’ ନିକଟରେ ଏହି ଦୋକାନ ରହିବା ଉଚିତ। କିନ୍ତୁ ତାହା ନ ହୋଇ ମନଇଚ୍ଛା ଯିଏ ଯେଉଁଠି ପାରୁଛି ସେଠି ମାଂସ ଦୋକାନ ଖୋଲୁଛି। ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି କର୍ମାଶାଳାରେ ମତପ୍ରକାଶ ପାଇଛି।

Share