ବେଆଇନ ମୋରମ ଚାଲାଣବେଳେ ଦୁର୍ଘଟଣା:ହାଇଓ୍ବା ଉପରେ ଖସିିଲା ପଥର

ଭୁବନ, ୧୫ା୧୨(ଡି.ଏନ.ଏ.)

ଢେଙ୍କାନାଳ ଜିଲା ଭୁବନ ସଦର ବାଜି ରାଉତ କଲେଜ ପଛପଟୁ ବେଆଇନ ଭାବେ ମୋରମ ଚୋରାଚାଲାଣ ବେଳେ ଶନିବାର ଦୁର୍ଘଟଣା ଘଟିଛି। ପାହାଡ଼ ଉପରରୁ ଏକ ବିରାଟକାୟ ପଥର ଖସିପଡ଼ି ମୋରମ ପରିବହନରେ ନିୟୋଜିତ ହାଇଓ୍ବା ଉପରେ ପଡ଼ିଥିଲା। ଟିପ୍ପରଟି ଚାପି ହୋଇଯାଇଥିବାବେଳେ ବହୁ କଷ୍ଟରେ ଚାଳକ ଗାଡ଼ିରୁ ବାହାରିଥିଲେ।
ଭୁବନ ରାଜସ୍ବ ସର୍କଲରେ ବେଆଇନ ପଥର, ମୋରମ ଚାଲାଣ ବଢ଼ିବାରେ ଲାଗିଛି। ୫୫ନଂ. ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ନେଇଥିବା ଠିକାସଂସ୍ଥା ପକ୍ଷରୁ ଏପରି ବେଆଇନ କାର୍ଯ୍ୟ କରାଯାଉଥିବା ପୂର୍ବରୁ ବହୁବାର ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ଏ ନେଇ ଜନଅସନ୍ତୋଷ ତୀବ୍ର ହେଉଥିବାବେଳେ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଲଘୁ ଖଣିଜ ଦ୍ରବ୍ୟର ଏପରି ବେଆଇନ କାରିବାର ବଢ଼ିବାରେ ଲାଗିଛି। ଏହି କାରଣରୁ ଭୁବନ କଲେଜର ଶୋଭାବର୍ଦ୍ଧନ କରୁଥିବା ପାହାଡ଼ ଏବେ ଶ୍ରୀହୀନ ହୋଇଗଲାଣି। କେବଳ ଏତିକି ନୁହେଁ, ଭୁବନ କଲେଜରୁ ଭୂଷଳ ଛକ ଯାଏ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ରହିଛି। ହେଲେ ଦିନରାତି ଶତାଧିକ ହାଇଓ୍ବା, ଭାରିଯାନ ଚଳାଚଳ ଯୋଗୁ ଜନସାଧାରଣଙ୍କ ଜୀବନଯାତ୍ରା ପ୍ରଭାବିତ ହେଉଛି। ପ୍ରଦୂଷଣ ସୀମା ଟପିଲାଣି। ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଏହାକୁ ନେଇ କାଳୀବଜାର ବଣିକ ସଂଘ, ନୂଆ ବଜାର ବଣିକ ସଂଘ ପକ୍ଷରୁ କିଛିଦିନ ତଳେ ବିରୋଧ କରାଯାଇଥିଲା। ଉକ୍ତ ସମୟରେ ପ୍ରଶାସନର ହସ୍ତକ୍ଷେପ ପରେ ଭାରିଯାନ ଚଳାଚଳ ବନ୍ଦ ଥିଲା। ହେଲେ ପ୍ରଶାସନର ନୀରବତା ଦେଖି ପୁଣିଥରେ ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଥିପ୍ରତି ଦୃଷ୍ଟିଦେବାକୁ ବ୍ୟବସାୟୀ ଏବଂ ଜନସାଧାରଣ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ତହସିଲଦାର ଶକ୍ତିକାନ୍ତ ରାୟ କୁହନ୍ତି, ସରକାରୀ କାର୍ଯ୍ୟାଳୟ ଛୁଟିହେଲେ ଦଲାଲମାନେ ମାତୁଛନ୍ତି। ଚଢ଼ାଉ କରି ବେଆଇନ ମୋରମ ଖାଦାନ ବନ୍ଦ କରାଯିବ। ଏଥିରେ ନିୟୋଜିତ ହାଇଓ୍ବା ଜବତ ହେବ। ଏ ନେଇ ଆର୍‌ଆଇ ଶ୍ରୀକାନ୍ତ କୁମାର ପରିଡ଼ା କୁହନ୍ତି, ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରାଯାଇଛି। ଗାଡ଼ି ମାଲିକଙ୍କଠାରୁ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ।

Share