ବେଆଇନ ରେଲଓ୍ବେ ଇ-ଟିକେଟ ବିକ୍ରି, ୩ ଗିରଫ

କଟକ ରୋଡ,୧୫ା୬(ଡି.ଏନ୍‌.ଏ.): ବେଆଇନ ଭାବେ ରେଳବାଇ ସଂରକ୍ଷିତ ଟିକଟ ବିକ୍ରି ଅଭିଯୋଗରେ ଭୁବନେଶ୍ୱର ଆରପିଏଫ (ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ) ଶୁକ୍ରବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କ୍ୟାପିଟାଲ ଥାନା ଅଧୀନ ଅଶୋକନଗର ଅଞ୍ଚଳର ଆଭାସ ରଞ୍ଜନ ବାରିକ(୨୯), ପୁରୀ ଜିଲା ପିପିଲି ଥାନା ଗୋବିନ୍ଦପୁର ଗ୍ରାମର ଅମିୟ ପଟ୍ଟନାୟକ(୪୬) ଓ ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ବାଲିକଣ୍ଟିଆ ଗ୍ରାମର ମନୋରଞ୍ଜନ ପୃଷ୍ଟି(୩୨)। ଏହି ୩ ଅଭିଯୁକ୍ତଙ୍କ ଖାରବେଳନଗର ଓ କ୍ୟାପିଟାଲ ଥାନା ଅଞ୍ଚଳରେ ସାଇବର କେଫ ସହ ଟ୍ରାଭେଲ୍ସ ଏଜେନ୍ସି ରହିଛି। ସୂଚନା ଅନୁଯାୟୀ, ଗ୍ରୀଷ୍ମକାଳୀନ ଛୁଟି ପାଇଁ ରେଳଯାତ୍ରୀଙ୍କ ଭିଡ ବଢିଛି। ଅତ୍ୟଧିକ ଗହଳି ପାଇଁ ଟିକେଟ ପାଇବା ପାଇଁ ଲୋକେ ଦଲାଲଙ୍କ ସହଯୋଗ ଲୋଡୁଛନ୍ତି। ଏଭଳି ସୁଯୋଗରେ ଇ-ଟିକେଟିଂ ପାଇଁ ୟୁଜର୍ସ ଆଇଡି ତିଆରି କରି ଯାତ୍ରୀଙ୍କୁ ଚଢା ଦରରେ ଟିକଟ ବିକ୍ରି କରୁଥିବା ଦିଲ୍ଲୀସ୍ଥିତ ମୁଖ୍ୟ ଆରପିଏଫ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ଚଢ଼ାଉ ପାଇଁ ଅପରେଶନ ଥଣ୍ଡର ନାମରେ ଆରପିଏଫ ମହାନିର୍ଦ୍ଦେଶକ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଦଲାଲଙ୍କୁ ଗିରଫ ପାଇଁ ଆରପିଏଫ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ଭୁବନେଶ୍ୱର ଆରପିଏଫ ଇନ୍ସପେକ୍ଟର କାଳୁ ସେଠୀଙ୍କ ସହ ଏକ ଟିମ ବେଆଇନ ଭାବେ ଇ-ଟିକଟ ବିକୁଥିବା ଟ୍ରାଭେଲ ଏଜେନ୍ସି ମାଲିକଙ୍କ ବାବଦରେ ସୂଚନା ସଂଗ୍ରହ କରିବା ପରେ ଏହି ୩ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏମାନଙ୍କ ଠାରୁ ୩ଟି ସିପିୟୁ, ୩ ମୋଡେମ, ୯ ଇ-ଟିକଟ, ୨୯୬୦ଟଙ୍କା ଓ ୩ଟି ମୋବାଇଲ ଫୋନ ଜବତ ହୋଇଛି। ଅଭିଯୁକ୍ତ ଆଭାସ ଓ ଅମିୟ ଗତ ୨ବର୍ଷ ଧରି ଏଭଳି ବେଆଇନ ଟିକଟ ରାଜଧାନୀରେ ବିକୁଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ବୋଲି ଇନ୍ସପେକ୍ଟର ସେଠୀ କହିଛନ୍ତି। ମନୋରଞ୍ଜନ ମଧ୍ୟ ୧ବର୍ଷ ଧରି ବ୍ୟବସାୟ ଜାରି ରଖିଥିବା ଜଣାପଡିଛି। ଏନେଇ ଆରପିଏଫରେ ସିଇ/ସି ୧୭୦୦, ୧୭୦୧ ଓ ୧୭୦୪ ରେଲଓ୍ବେ ଆକ୍ଟ ୧୪୩ ଅନୁଯାୟୀ ମାମଲା ରୁଜୁ ହୋଇଛି।

Share