ବେଆଇନ ସର୍ଭିସିଂ ସେଣ୍ଟର ଲାଗି ସୁନା ନଦୀ ପ୍ରଦୂଷିତ

ଯୋଡ଼ା, ୨୦।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରରେ ଏକ ବେଆଇନ ସର୍ଭିସିଂ ସେଣ୍ଟର କରି ଲକ୍ଷ ଲକ୍ଷ ଲିଟର ପାଣି ନିଜ କାରବାରରେ ବ୍ୟବହାର କରିବା ସହିତ ସୁନା ନଦୀର ଜଳ ପ୍ରଦୂଷିତ କରୁଥିବା ଅଭିଯୋଗ ହୋଇଛି। ଯୋଡ଼ା ପୌରପାଳିକାର ୱାର୍ଡ ନଂ ୪ ତଥା ଯୋଡ଼ା ମୁଖ୍ୟ ରାସ୍ତାର ସୁନା ନଦୀ ପୋଲ ପାର୍ଶ୍ୱରେ ଦୀର୍ଘ ବର୍ଷ ହେବ ଏକ ବେଆଇନ ଭାବେ ସର୍ଭିସିଂ ସେଣ୍ଟର କରି ସୁନା ନଦୀରୁ ସିଧାସଳଖ ଜଳ ନେଇ ଦୈନିକ ଶହ ଶହ ଛୋଟ ବଡ଼ ଯାନବାହାନ ଧୋଇ ଏଥିରୁ ନିର୍ଗତ ମୋବିଲ ଓ ତେଲ ମିଶ୍ରିତ ଦୂଷିତ ଜଳକୁ ସିଧାସଳଖ ସୁନା ନଦୀରେ ଛାଡ଼ିଦିଆଯାଉଛି। ଏ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ମଧ୍ୟ ପୌରପାଳିକା ନୀରବ ରହୁଛି। ଏ ନେଇ ସୋମବାର ସର୍ଭିସିଂ ସେଣ୍ଟରର ଜଣେ କର୍ମଚାରୀଙ୍କୁ ପଚାରିବାରୁ ସେ ନାମ ପ୍ରକାଶ ନ କରି କହିଛନ୍ତି ଯେ, ପୌରପାଳିକାକୁ ପ୍ରତିମାସ ଏହି ସର୍ଭିସିଂ ସେଣ୍ଟର ବାବଦକୁ ପ୍ରାୟ ୩ହଜାର ଟଙ୍କା ଦିଆଯାଉଛି। ଏହାର ରସିଦ କଥା ପଚାରିବାରୁ, ରସିଦ ମିଳେ ନାହିଁ ବୋଲି ସେ କହିଥିଲେ। ଏ ନେଇ ଯୋଡ଼ା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଯୋଶୀଙ୍କୁ ପଚାରିବାରୁ ଟଙ୍କା ନିଆଯିବା କଥା ସେ ଜାଣିନାହାନ୍ତି। ସୁନା ନଦୀରୁ ଜଳ ନେବାର ତଦାରଖ କରିବା ଦାୟୀତ୍ୱ ଜଳ ସମ୍ପଦ ବିଭାଗର ବୋଲି ସେ କହିଛନ୍ତି। ତଥାପି ସେ ସୋମବାର ଅପରାହ୍ନ ସୁଦ୍ଧା ସର୍ଭିସିଂ ସେଣ୍ଟରକୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ୩ ହଜାର ଟଙ୍କା କିଏ ନେଉଛି, ଏହାର ମଧ୍ୟ ତଦନ୍ତ କରିବେ ବୋଲି ସେ କହିଛନ୍ତି। ସେପଟେ ତଳ ମୁଣ୍ଡର ଜନସାଧାରଣ ଏହି ନଦୀରେ ଗାଧୋଇବା ଦ୍ୱାରା ବିଭିନ୍ନ ପ୍ରକାର ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି। ପ୍ରଶାସନ ଏ ଦିଗରେ ଶୀଘ୍ର ଦୃଷ୍ଟି ଦେବା ସହିତ ପୌରପାଳିକାର କେଉଁ ଅସାଧୁ କର୍ମଚାରୀମାନେ ମୋଟା ଅଙ୍କର ଲାଞ୍ଚ ନେଇ ଏହି ସର୍ଭିସିଂ ସେଣ୍ଟରକୁ ସୁରକ୍ଷା ଦେଉଛନ୍ତି ଏହାର ମଧ୍ୟ ତଦନ୍ତ କରିବା ଉଚିତ ବୋଲି ମତାମତ ପ୍ରକାଶ ପାଉଛି ା