ବେକାରି ଚିନ୍ତା ନାହିଁ କାହାର

ଡ. ସନ୍ତୋଷ କୁମାର ମହାପାତ୍ର

କରୋନା ସଂକ୍ରମଣର କୁପ୍ରଭାବରେ କେତେ ପରିବାର ଉଜୁଡିଗଲାଣି, କେତେ ଲୋକ ପ୍ରାଣ ହରାଇଲେଣି, କେତେ ଲୋକ ଜୀବିକା ହରାଇ ବେକାରି ହେଲେଣି ତାହା ଆଲୋଚନା ନ କରି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ସରକାର ଆତ୍ମନିର୍ଭର ଭାରତ, ଆର୍ଥିକ ସୁଧାର, କମ୍‌ ମୃତ୍ୟୁ ହାର କଥା କହୁଛନ୍ତି। ବର୍ତ୍ତମାନ ପରିସ୍ଥିତି ଅତ୍ୟନ୍ତ ଜଟିଳ, ନିୟନ୍ତ୍ରଣବିହୀନ ହୋଇଥିଲା ବେଳେ ୨୦୨୧-୨୨ରେ କେତେ ଅଭିବୃଦ୍ଧି ହେବ ତାହା ଆଲୋଚନା କରାଯାଉଛି। କରୋନା ସଂକ୍ରମଣର କୁପ୍ରଭାବ ଜୀବନ ଓ ଜୀବିକା ଉପରେ ଏତେ ମାତ୍ରାରେ ପଡିଛି ଯେ ତାହା ଜୀବିକା ହରାଇଥିବା ବା ଯେଉଁ ପରିବାରରେ କାହାର ଜୀବନ ଯାଇଛି, ସେମାନଙ୍କୁ ନ ପଚାରିଲେ ଜଣେ ଜାଣିପାରିବ ନାହିଁ। ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ସରକାର ଭୁଲିଯାଉଛନ୍ତି। ଚିନ୍ତାର ବିଷୟ କରୋନା ପୂର୍ବରୁ ଯେଉଁ ବେକାରି ସମସ୍ୟା ଉତ୍କଟ ଥିଲା ତାହା କରୋନା ସଂକ୍ରମଣର କୁପ୍ରଭାବରେ ଆହୁରି ଭୟଙ୍କର ରୂପ ଧାରଣ କରିଛି।
ଉଲ୍ଲେଖଯୋଗ୍ୟ ଯେ, ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ଏବଂ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ସୂଚାଇ ଦେଇଛନ୍ତି ଯେ ଯଦି କରୋନା ସଂକ୍ରମଣ ରୋକିବାରେ ସରକାର ବିଫଳ ହୁଅନ୍ତି ପ୍ରାୟ ୬.୧ନିୟୁତ ଯୁବକ (୧୫-୨୪ବର୍ଷ) ଭାରତରେ ଚାକିରି ହରାଇପାରନ୍ତି। ନିର୍ମାଣ ଏବଂ ରିଅଲ୍‌ ଇଷ୍ଟେଟ୍‌ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଥାଏ। ସେହି କ୍ଷେତ୍ର ତାଲାବନ୍ଦ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। କିନ୍ତୁ ବର୍ତ୍ତମାନ ଏପ୍ରିଲ-ଜୁନ୍‌ ୨୦୨୦ରେ ଅଭିବୃଦ୍ଧି ବିଯୁକ୍ତାତ୍ମକ ୨୩.୯% ଏବଂ ଜୁଲାଇ-ସେପ୍ଟେମ୍ବରରେ ବିଯୁକ୍ତାତ୍ମକ ୧୦.୨ % ହେବା ଯୋଗୁ କେତେ ଲୋକ ନିଯୁକ୍ତି ବା କର୍ମସଂସ୍ଥାନ ହରାଇଥିବେ ତାହା ଆକଳନ କରିବା କଷ୍ଟକର। ଅବଶ୍ୟ କରୋନା ସଂକ୍ରମଣ ପୂର୍ବରୁ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ବେକାରି ବୃଦ୍ଧି ଘଟିଚାଲିଥିଲା। ଏନ୍‌ଏସ୍‌ଏସ୍‌ଓର ପର୍ଯ୍ୟାୟ ଶ୍ରମଶକ୍ତି ସର୍ବେକ୍ଷଣ (ପିଏଲ୍‌ଏଫ୍‌ଏସ୍‌) (ଜୁଲାଇ୨୦୧୭-ଜୁନ୍‌୨୦୧୮) ଅନୁଯାୟୀ ଭାରତର ବେକାରି ହାର ୨୦୧୭-୧୮ରେ ୪୫ବର୍ଷର ସର୍ବୋଚ୍ଚ ସ୍ତର ୬.୧% ହୋଇଥିଲା। ବେକାରି ବୃଦ୍ଧି ଓ ନିଯୁକ୍ତି ହ୍ରାସ ପ୍ରକ୍ରିୟା ବିମୁଦ୍ରୀକରଣ ଏବଂ ଜିଏସ୍‌ଟି କାର୍ଯ୍ୟକାରୀ ହେବାପରେ ଦ୍ରୁତ ହୋଇଛି। ଅଜିମ୍‌ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ ୨୦୧୧-୧୨ରୁ ୨୦୧୭-୧୮ ମଧ୍ୟରେ ଭାରତରେ ମୋଟ ନିଯୁକ୍ତି ୯ନିୟୁତ ହ୍ରାସପାଇଛି; ଯାହା ଦେଶର ଇତିହାସରେ ପ୍ରଥମ ଘଟଣା। ସେହିପରି ଏହି ସଂସ୍ଥାର ଷ୍ଟେଟ୍‌ ଅଫ୍‌ ୱାର୍କିଂ ଇଣ୍ଡିଆ ୨୦୧୯ ରିପୋର୍ଟ ଅନୁଯାୟୀ ବିମୁଦ୍ରୀକରଣ ହେତୁ ୨୦୧୬ରୁ ୨୦୧୮ ମଧ୍ୟରେ ପାଞ୍ଚନିୟୁତ ଲୋକ ଚାକିରି ହରାଇଛନ୍ତି।
ସେଣ୍ଟର ଫର ମନିଟରିଂ ଅଫ୍‌ ଇଣ୍ଡିଆନ୍‌ ଇକୋନୋମି (ସିଏମଆଇଇ)ର ତଥ୍ୟ ଅନୁଯାୟୀ, ମାର୍ଚ୍ଚ୨୪ ତାଲାବନ୍ଦ ପୂର୍ବରୁ ମାର୍ଚ୍ଚ ୨୨ରେ ବେକାରି ହାର ୮.୪% ଥିଲା। କୋଭିଡ୍‌ -୧୯ର ପ୍ରସାରକୁ ରୋକିବା ପାଇଁ ତାଲାବନ୍ଦ ଯୋଗୁ ୩ ମେ, ୨୦୨୦ ଶେଷ ହୋଇଥିବା ସପ୍ତାହରେ ଭାରତର ବେକାରି ହାର ୨୭.୧% ବୃଦ୍ଧି ପାଇଥିଲା। ଏପ୍ରିଲରେ ପ୍ରାୟ ୧୨.୧୫କୋଟି ଭାରତୀୟ ନିଯୁକ୍ତି ହରାଇଛନ୍ତି। ୨୦୧୯-୨୦ରେ ନିଯୁକ୍ତି ପାଇଥିବା ସଂଖ୍ୟା ୪୦.୪କୋଟି ଥିଲା। ଏପ୍ରିଲ ୨୦୨୦ରେ ରୋଜଗାର ୨୮.୨କୋଟିକୁ ହ୍ରାସପାଇଥିଲା। ଆପାତତଃ ନିଯୁକ୍ତି ହରାଇଥିବା ଦିନମଜୁରିଆ ଏବଂ ଛୋଟ ବ୍ୟବସାୟୀଙ୍କ ସଂଖ୍ୟା ୯.୧୩କୋଟି। ନିଯୁକ୍ତି ହରାଇଥିବା ଉଦ୍ୟୋଗୀଙ୍କ ସଂଖ୍ୟା୧.୮୨କୋଟି ହୋଇଥିଲାବେଳେ ବେତନଭୋଗୀ ଶ୍ରେଣୀ ମଧ୍ୟରେ ୧.୭୮କୋଟି ନିଯୁକ୍ତି ହରାଇଥିଲେ। ଚିନ୍ତାର ବିଷୟ ହେଉଛି ତାଲାବନ୍ଦ ଉଠିବାପରେ ବେକାରି ହାର ହ୍ରାସପାଇଥିଲା , କିନ୍ତୁ ପରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ବେକାରି ହାରରେ ବୃଦ୍ଧିପାଇଛି। ସେପ୍ଟେମ୍ବରରେ ବେକାରି ହାର ୬.୬୭% ଥିଲା, ତାହା ଅକ୍ଟୋବରରେ ୬.୯୮ %କୁ ବୃଦ୍ଧିପାଇଛି। ଅବଶ୍ୟ ଏହି ହାର ବାସ୍ତବରେ ବହୁଅଧିକ। ଏତିକିରେ ରହିବାର କାରଣ ହେଲା, କରୋନା ଯୋଗୁ ଲୋକ ନିଯୁକ୍ତି ଚାହୁଁନାହାନ୍ତି।
ଅବଶ୍ୟ, ତାଲାବନ୍ଦ କୋହଳ ହେଲାପରେ ଅସଂଗଠିତ କ୍ଷେତ୍ରରେ ପୁନର୍ବାର ନିଯୁକ୍ତି ସୃଷ୍ଟିହେଲା, କିନ୍ତୁ ସଂଗଠିତ କ୍ଷେତ୍ରରେ ଉନ୍ନତି ଘଟିଲାନାହିଁ। (ସିଏମ୍‌ଆଇଇ)ର ରିପୋର୍ଟ ଅନୁଯାୟୀ ବେତନଭୋଗୀ ଶ୍ରେଣୀ ତାଲାବନ୍ଦ ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି। ଏପ୍ରିଲରୁ ଅଗଷ୍ଟ ସୁଦ୍ଧା ଭାରତରେ ପ୍ରାୟ ୨.୧କୋଟି ବେତନପ୍ରାପ୍ତ ବ୍ୟକ୍ତି ଚାକିରି ହରାଇଛନ୍ତି। ଚାକିରିର କ୍ଷତି କେବଳ ବେତନସହାୟକ କର୍ମଚାରୀଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ଶିଳ୍ପଶ୍ରମିକ ଏବଂ ପ୍ରଶାସନିକ ଅଧିକାରୀ, ପରିଚାଳନାଗତ ଅଧିକାରୀ ମଧ୍ୟ ଅନ୍ତର୍ଭୁକ୍ତ। ଭାରତରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଏବଂ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ କର୍ପୋରେଟ୍‌ କ୍ଷେତ୍ରଗୁଡିକର ଅନିଚ୍ଛା କାରଣରୁ ବେତନପ୍ରାପ୍ତ ଚାକିରି ବୃଦ୍ଧି ତାଲାବନ୍ଦ ପୂର୍ବରୁ ମଧ୍ୟ ନିରାଶ ଜନକ ଥିଲା। ୨୦୧୭-୧୮ରେ ଏହା ୧.୬% ବୃଦ୍ଧିପାଇଲା ବେଳେ ୨୦୧୮-୧୯ରେ ୦.୧% ବୃଦ୍ଧିପାଇଥିଲା। କିନ୍ତୁ୨୦୧୯-୨୦ରେ ୧.୮% ହ୍ରାସ ପାଇଥିଲା। ଏଣୁ ଏହି ବେତନପ୍ରାପ୍ତ ଚାକିରିଆ ସଂଖ୍ୟା ୨୦୧୬-୧୭ରେ ୮.୬୩କୋଟି ଥିଲାବେଳେ ତାହା ୨୦୧୯-୨୦ରେ ୮.୬୧କୋଟିକୁ ହ୍ରାସ ପାଇଥିଲା। ସାଧାରଣତଃ ଭାରତରେ ମୋଟ ନିଯୁକ୍ତିରେ କେବଳ ୨୧% ବେତନଭୋଗୀ ଅଟନ୍ତି। ଏହି ଲୋକମାନେ ବିଭିନ୍ନ ସଙ୍କଟ ବେଳେ କ୍ଷତିଗ୍ରସ୍ତ ହୋଇ ନ ଥାନ୍ତି। ଯଦି ହୁଅନ୍ତି କମ୍‌ ହୋଇଥାନ୍ତି। ପୁନଶ୍ଚ ଏମାନେ ଅସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିଥାନ୍ତି। ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧିରେ ଏମାନଙ୍କ ମୁଖ୍ୟ ଅବଦାନ ଥାଏ। ଏମାନଙ୍କ ସ୍ଥିତି ଏପରି ସଂକଟମୟ ହେଲେ ଅନ୍ୟର କଥା କ’ଣ କହିବା। ପୁନଶ୍ଚ ଭାରତରେ ୭୧% ଶ୍ରମିକଙ୍କର କୌଣସି ଲିଖିତ ନିଯୁକ୍ତିପତ୍ର ନାହିଁ। ସରକାରୀ ତଥା ରାଷ୍ଟ୍ରାୟତ୍ତ ଶିଳ୍ପରେ କାର୍ଯ୍ୟରତ ଶ୍ରମିକ ମଧ୍ୟରୁ ୪୫% କୌଣସି ଆନୁଷ୍ଠାନିକଭାବେ ନିଯୁକ୍ତି ପାଇ ନାହାନ୍ତି। ଏଣୁ ପରିସ୍ଥିତି କେତେ ଭୟଙ୍କର ସହଜରେ ଅନୁମେୟ।
ସହରାଞ୍ଚଳର ପ୍ରବାସୀ ଶ୍ରମିକମାନଙ୍କ ଦୁର୍ଦ୍ଦଶା ସବୁଠାରୁ ଭୟଙ୍କର । ଏମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନେ ହଠାତ୍‌ ଚାକିରି ହରାଇବା ଯୋଗୁ ବଞ୍ଚିବାର, ଜୀବିକାର କୌଣସିି ବିକଳ୍ପ ପାଇଲେନାହିଁ। ଯେଉଁ କମ୍ପାନୀରେ କାର୍ଯ୍ୟକରୁଥିଲେ, ତା’ର ମାଲିକ ତାଙ୍କୁ ସହାୟତା ଦେଲାନାହିଁ। ସେହି ରାଜ୍ୟ ସରକାର କୌଣସି ସାହାଯ୍ୟ କଲେନାହିଁ। ରହିବାକୁ ଏମାନେ ସ୍ଥାନ ପାଇଲେ ନାହିଁ କାରଣ ଘରଭଡା ଦେବାକୁ ଅର୍ଥ ନ ଥିଲା। ନିଜ ଜନ୍ମସ୍ଥାନକୁ ଫେରିବାକୁ ବାଧ୍ୟହେଲେ ଏବଂ ସଂକ୍ରମଣ ପ୍ରସାରର ନିନ୍ଦା ସହିଲେ। ସରକାରଙ୍କ କହିବାନୁସାରେ, କୋଭିଡ୍‌-୧୯ ପ୍ରଭାବରେ ୧କୋଟିରୁ ଅଧିକ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ଏବଂ ଆହତ ହୋଇଛନ୍ତି ସେମାନଙ୍କ ବିଷୟରେ ସରକାରଙ୍କ ନିକଟରେ କୌଣସି ତଥ୍ୟ ନାହିଁ।
ଉଦାରୀକରଣ ପରେ ଆମ ଦେଶରେ ଜିଡିପି ବୃଦ୍ଧି ଅନୁସାରେ ନିଯୁକ୍ତି ବୃଦ୍ଧି ପାଉ ନ ଥିଲା। ପରେ ନିଯୁକ୍ତିବିହୀନ ଅଭିବୃଦ୍ଧି ଦେଖାଦେଇଥିଲା; ଯାହା କ୍ରମଶଃ ପୁଞ୍ଜି, ଟେକ୍ନୋଲୋଜିର ବହୁଳ ବ୍ୟବହାର, ଘରୋଇ଼ ଶିଳ୍ପମାଲିଙ୍କର ଅଧିକ ଲାଭଖୋର ମନୋଭାବ, ସରକାର ରାଷ୍ଟ୍ରାୟତ୍ତ ଶିଳ୍ପକୁ ଦୁର୍ବଳ କରିବା ଯୋଗୁ ନିଯୁକ୍ତିବିହୀନ ଅଭିବୃଦ୍ଧି ନିଯୁକ୍ତି ହରାଇବା ଅଭିବୃଦ୍ଧିରେ ରୂପାନ୍ତରିତ ହୋଇଛି; ଯାହାର କୁପ୍ରଭାବ ଶିକ୍ଷିତ ଯୁବକଙ୍କ ଉପରେ ପଡିଛି। ବେଶି ଶିକ୍ଷିତ ଲୋକ, ଯୁବକ ସଂଗଠିତ କ୍ଷେତ୍ରରେ ନିଯୁକ୍ତିପାଇଁ ଚେଷ୍ଟାକରନ୍ତି। ସଂଗଠିତ କ୍ଷେତ୍ରରେ ଆଶାଜନକଭାବେ ନିଯୁକ୍ତି ସୃଷ୍ଟି ହେଉନାହିଁ। ସରକାର କ୍ରମଶଃ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିକରିବା ପରିବର୍ତ୍ତେ ହ୍ରାସ କରୁଛନ୍ତି ଏବଂ କମ୍ପାନୀଗୁଡ଼ିକ ଉପରେ ନିଯୁକ୍ତି ସୃଷ୍ଟି ପାଇଁ କୌଣସି ଚାପନାହିଁ। କମ୍ପାନୀଗୁଡ଼ିକ ବେକାରିଙ୍କ ବୃଦ୍ଧିର ଫାଇଦା ନେଇ କମ୍‌ ଦରମାରେ ଖଟାଉଛନ୍ତି। ମାର୍କ୍ସଙ୍କ ‘ଶ୍ରମର ସଂରକ୍ଷଣ ସେନା’(Reserve army of labour) ତତ୍ତ୍ୱ ଏଠାରେ ପ୍ରଯୁଜ୍ୟ। ୨୦୧୪ ଲୋକ ସଭା ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ବର୍ଷକୁ ୨କୋଟି ନିଯୁକ୍ତି ସୃଷ୍ଟିକରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତି ଭ୍ରମଥିଲା ଏବଂ ପାଣିରଗାର ହୋଇଛି।
ବେରୋଜଗାର ଯୁବକମାନଙ୍କୁ ଶୋଷଣ କରିବା ଏବଂ ସେମାନଙ୍କୁ ରାଜନୈତିକ କାର୍ଯ୍ୟରେ ରାଜନେତାମାନେ ବ୍ୟବହାର କରିବା କିମ୍ବା ଦଳୀୟ ଆଇଟିସେଲରେ ନିୟୋଜିତ କରିବା ସହଜ ହୋଇଥିବାରୁ ଶାସକଶ୍ରେଣୀ ଅଧିକ ନିଯୁକ୍ତି ସୃଷ୍ଟିକରିବାକୁ ଆଗ୍ରହୀ ନୁହନ୍ତି। ଜଣେ ବେକାର ବ୍ୟକ୍ତିଟିଏ ବୁଝିପାରୁ ନିଜେ ତା’ର ସମସ୍ୟା ପାଇଁ ସେ ଯେତିକି ଦାୟୀ, ସରକାରଙ୍କ ନୀତି ମଧ୍ୟ ଅନୁରୂପ ଭାବେ ଦାୟୀ। ଶିକ୍ଷିତ ଯୁବତୀ ଯୁବକ ବେକାରି ହେଲେ ପରିସ୍ଥିତି ଭୟଙ୍କର ହୋଇଥାଏ ଏବଂ ସାମାଜିକ ଅସ୍ଥିରତା ସୃଷ୍ଟିହୋଇଥାଏ। ନ୍ୟାଶନାଲ କ୍ରାଇମ୍‌ ରେକର୍ଡସ ବ୍ୟୁରୋ (ଏନ୍‌ସିଆରବି) ଅନୁଯାୟୀ, ୨୦୧୮ରେ ଜଣେ ବେକାର ବ୍ୟକ୍ତି ପ୍ରତି ଘଣ୍ଟାରେ ଆତ୍ମହତ୍ୟା କରିଥିଲେ। କୋଭିଡ୍‌-୧୯ ଭୟଙ୍କର ମାନସିକ ଆଘାତ,ଉଦ୍‌ବେଗ ତଥା ଡିପ୍ରେସନ ସୃଷ୍ଟିକରିଛି; ଯାହା ପରିସ୍ଥିତିକୁ ଆହୁରି ସଙ୍ଗିନ କରିବ। ବେକାରି ହେଉଛି ଭାରତର ଏକନମ୍ବର ସମସ୍ୟା। ଏହା ସାମାଜିକ ସ୍ଥିରତା ପାଇଁ ଏକ ବଡ଼ ପ୍ରତିବନ୍ଧକ ଭାବରେ ଛିଡା ହୋଇଛି। ଯଦି ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଏହା ସମାଜର ଅଶେଷ କ୍ଷତିକରିବ ଏବଂ ସାମାଜିକ ଉତ୍ତେଜନା ସୃଷ୍ଟିକରିବ। ସେଥିରୁ କେହି ମୁକ୍ତି ପାଇପାରିବେ ନାହିଁ।
ମୋ-୯୪୩୭୨୦୮୭୬୨,
Email; skmohapatra67@gmail.com