Categories: ଖେଳ

ବେକାର ହେଲା ଗେଲ୍‌ଙ୍କ ବିସ୍ଫୋରକ ଶତକ

ସେଣ୍ଟ କିଟ୍ସ, ୧୧।୯: ଓ୍ବାର୍ନର ପାର୍କଠାରେ ଅନୁଷ୍ଠିତ କାରିବିଅନ ପ୍ରିମିୟର ଲିଗ୍‌ (ସିପିଏଲ) ମ୍ୟାଚ୍‌ରେ ଜାମାଇକା ତାଲାଓ୍ବାସ ଦଳର ଅଧିନାୟକ କ୍ରିସ୍‌ ଗେଲ୍‌ଙ୍କ କ୍ୟାରିୟରର ୨୨ତମ ଶତକ ବେକାର ହୋଇଛି। ଗେଲ୍‌ଙ୍କ ଶତକ ଓ ଚାଦ୍ୱିକ ଓ୍ବାଲଟନଙ୍କ ୩୬ ବଲରୁ ୭୩ ରନ୍‌ର ଇନିଂସ ଯୋଗୁ ଜାମାଇକା ତାଲାଓ୍ବାସ ୨୪୨ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହା ସିପିଏଲ ଇତିହାସର ସର୍ବାଧିକ ଦଳଗତ ସ୍କୋର ଥିଲା। ହେଲେ ଏହି ରେକର୍ଡ ମାତ୍ର କିଛି ସମୟ ପାଇଁ ତିଷ୍ଠି ପାରିଥିଲା। ବ୍ୟାଟ୍ସମ୍ୟାନଙ୍କ ମିଳିତ ଉଦ୍ୟମରେ ସେଣ୍ଟ କିଟ୍ସ ଓ ନେଭିସ ପାଟ୍ରିଓଟ୍ସ ଦଳ ବିଶାଳ ବିଜୟ ଲକ୍ଷ୍ୟକୁ ୭ ବଲ ପୂର୍ବରୁ ହାସଲ କରିନେଇଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ଜାମାଇକା ତାଲାଓ୍ବାସ ଧାର୍ଯ୍ୟ ୨୦ ଓଭରରେ ୪ ଉଇକେଟ ହରାଇ ୨୪୧ ରନ୍‌ କରିଥିଲା। ଦଳ ପାଇଁ ଗେଲ୍‌ ୬୨ ବଲରୁ ୧୧୬ ରନ୍‌ କରିଥିଲେ। ତାଙ୍କ ଇନିଂସରେ ୧୦ ଛକା ଓ ୭ ଚୌକା ସାମିଲ ଥିଲା। ସେହିଭଳି ୮ ଛକା ଓ ୩ ଚୌକା ସହାୟତାରେ ଓ୍ବାଲଟନ ୭୩ ରନ୍‌ କରିଥିଲେ। ଜବାବରେ ଡେଭନ ଥୋମାସ ୭୧, ଇଭିନ ଲୁଇସ ୫୩, ଲୌରି ଇଭାନ୍ସ ୪୧ ଓ ଫାବିଆନ ଆଲେନଙ୍କ ୩୭ ରନ୍‌ର ଇନିଂସ ବଳରେ ସେଣ୍ଟ କିଟ୍ସ ଓ ନେଭିସ ପାଟ୍ରିଅଟ୍ସ ଦଳ ୧୮.୫ ଓଭରରେ ୬ ଉଇକେଟ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଜାମାଇକା ଦଳ ପାଇଁ ଓଶାନେ ଥୋମାସ ୪ ଓ ଆଣ୍ଡ୍ରେ ରସେଲ ୨ ଉଇକେଟ ନେଇଥିଲେ। ମ୍ୟାଚ୍‌ରେ ଲୁଇସ ୧୭ ବଲରୁ ଅର୍ଦ୍ଧଶତକ ଲଗାଇଥିଲେ, ଯାହାକି ଲିଗ୍‌ ଇତିହାସର ଦ୍ରୁତତମ।

Share