ବେଗ ରୋକିପାରୁନି ଇଣ୍ଟରସେପ୍ଟର:ରାଜପଥରେ ବଢ଼ୁଛି ଦୁର୍ଘଟଣା

ଅନୁଗୋଳ ଅଫିସ, ୨।୯

ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ବିଶେଷକରି ବଅଁରପାଳ ଛକରୁ ବଡ଼କେରା ଓ ତୁବେ ମଧ୍ୟରେ ଅଧିକ ଦୁର୍ଘଟଣା ଘଟୁଛି। ଏହି ରାସ୍ତାରେ ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ଠିକଣା ବ୍ୟବସ୍ଥା କରାଯାଉ ନ ଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଥିବା ସାଧାରଣରେ ଅଭିଯୋଗ ହେଉଛି। ପୋଲିସ ପାଟ୍ରୋଲିଂ ଓ ଚେକ୍‌ପୋଷ୍ଟର ବ୍ୟବସ୍ଥା ଠିକ୍‌ କରାଯାଉ ନ ଥିବା, ଏପରି କି ଇଣ୍ଟରସେପ୍ଟର ଥିଲେ ମଧ୍ୟ ଗାଡ଼ିର ବେଗ ନିୟନ୍ତ୍ରଣ କରିପାରୁ ନ ଥିବାରୁ ବେପରୁଆ ଗାଡ଼ି ଚାଳନା ଲୋକଙ୍କ ଜୀବନ ନେଉଥିବା ଚର୍ଚ୍ଚା ହେଉଛି।
ବଅଁରପାଳ ଛକରୁ ବଡ଼କେରା ଓ ତୁବେ ପର୍ଯ୍ୟନ୍ତ ରାସ୍ତା ଏବେ ବିପଦ ଶଙ୍କୁଳ ହୋଇପଡ଼ିଛି। ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ। ଏପରି କି ରାସ୍ତାରେ ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ରହିଥିବା ଇଣ୍ଟରସେପ୍ଟର ଠିକ୍‌ ଢଙ୍ଗରେ କାମ କରୁନାହିଁ। ସେହିପରି ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ବଜାର ଓ ଛକମାନଙ୍କରେ ସ୍ପିଡ୍‌ ବ୍ରେକର ନିର୍ମାଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ହେଭି ଭେଇକିଲ୍‌ ଗୁଡ଼ିକ ବେପରୁଆ ଭାବେ ଚଳାଚଳ କରୁଛି। ପ୍ରତିଦିନ ଦୁର୍ଘଟଣା ଯୋଗୁ ରାସ୍ତା ଜାମ ରହୁଛି। ଗତ ବର୍ଷକ ଭିତରେ ବଅଁରପାଳ ଛକରୁ ବଡ଼କେରା ଓ ତୁବେ ରାସ୍ତାରେ ଦୁର୍ଘଟଣା ଘଟି ଶତାଧିକ ଲୋକ ଆହତ ହୋଇଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ନାଲକୋ, ଅନୁଗୋଳ, ବନ୍ତଳା ଓ ଜରପଡ଼ା ଥାନା ଅଧୀନରେ ଥିବା ରାସ୍ତାରେ ସର୍ବାଧିକ ଲୋକଙ୍କ ଦୁର୍ଘଟଣାରେ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ତେଣୁ ବଅଁରପାଳ ଛକରୁ ବଡ଼କେରା ଓ ତୁବେ ରାସ୍ତାରେ ଗାଡ଼ିର ବେଗ ନିୟନ୍ତ୍ରଣ କରିବା, ଏ ସମ୍ପର୍କିତ ସୂଚନା ଫଳକ ଲଗାଇବା, ଜନବସତି ଓ ବଜାର ଅଞ୍ଚଳରେ ସ୍ପିଡ୍‌ ବ୍ରେକ୍‌ର, ହମ୍ପସ୍‌ ନିର୍ମାଣ କରିବା, ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସତର୍କତା ଫଳକ ଲଗାଇବା, ହେଭି ଭେଇକିଲ୍‌ ଗୁଡ଼ିକ ଦିନବେଳେ ଯାତାୟାତକୁ ବାରଣ କରିବାକୁ ଦାବି ହୋଇଛି।
ଏ ନେଇ ଆଞ୍ଚଳିକ ପରିବହନ ଅଧିକାରୀ ଧନଞ୍ଜୟ ସେନାପତି କହିଛନ୍ତି, ଇଣ୍ଟରସେପ୍ଟର କାର୍ଯ୍ୟ କରୁଛି। ଦ୍ରୁତ ଗତିରେ ଯାଉଥିବା ଗାଡ଼ି ଗୁଡ଼ିକ ଉପରେ ମଧ୍ୟ ନଜର ରଖାଯାଇଛି। ଜାତୀୟ ରଜପଥକୁ ପାଟ୍ରୋଲିଂ ପାଇଁ ଗାଡ଼ି ଦେବାକୁ କୁହାଯାଇଛି। ଉକ୍ତ ବିଭାଗ ଗାଡ଼ି ପ୍ରଦାନ କଲେ ତାହା ପୋଲିସକୁ ଯୋଗାଇ ଦିଆଯିବ।