Categories: ଖେଳ

ବେଙ୍ଗଲ ଓ୍ବାରିୟର୍ସକୁ ପ୍ରଥମ ଟାଇଟଲ

ଅହମ୍ମଦାବାଦ, ୨୦ା୧୦ (ପି.ଟି.)-ବେଙ୍ଗଲ ଓ୍ବାରିୟର୍ସ ପ୍ରଥମ ଥର ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌)ଟାଇଟଲ ହାସଲ କରିଛି। ଏଠାରେ ଶନିବାର ଅନୁଷ୍ଠିତ ଫାଇନାଲରେ ଦଳ ୩୯-୩୪ ପଏଣ୍ଟ ବ୍ୟବଧାନରେ ଦବଙ୍ଗ ଦିଲ୍ଲୀକୁ ହରାଇ ଦେଇଛି। ଦିଲ୍ଲୀ ତରଫରୁ ନବୀନ କୁମାର ପୁଣି ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୧୮ ରେଡ୍‌ ପଏଣ୍ଟ ସ୍କୋର କରିଥିଲେ। ମାତ୍ର କେତେକ ତ୍ରୁଟି ଯୋଗୁ ଦଳ ଟାଇଟଲ ଜିତିବାରେ ଅସଫଳ ରହିଥିଲା। ଫାଇନାଲ ମ୍ୟାଚ ଦେଖିବା ଲାଗି ଟ୍ରାନ୍ସଷ୍ଟାଡିଆର ଇକା ଆରେନା ଦର୍ଶକରେ ଭରପୂର ଥିଲା। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ। ଓ୍ବାରିୟର୍ସ ଦଳର ଷ୍ଟାର ରେଡର ତଥା ଅଧିନାୟକ ମନିନ୍ଦର ସିଂ ଏହି ମ୍ୟାଚ ଖେଳି ନ ଥିଲେ। ମାତ୍ର ଦଳର ସହାୟକ କୋଚ୍‌ର ଭୂମିକା ଗ୍ରହଣ କରିଥିଲେ। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ପ୍ରଥମାର୍ଦ୍ଧ ଖେଳ ୧୭-୧୭ ସମାନସ୍ତରରେ ରହିଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଓ୍ବାରିୟର୍ସ ଦଳ ତୁରନ୍ତ ଅଗ୍ରଣୀ ଲାଭ କରି ବିପକ୍ଷ ଦଳ ଉପରେ ଚାପ ସୃଷ୍ଟି କରିଥିଲା। ସୁକେଶ ହେଗ୍‌ଡେ ଏବଂ ଜିଭା କୁମାରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଦ୍ୱିତୀୟାର୍ଦ୍ଧର ୮ମ ମିନିଟ ଖେଳରେ ଓ୍ବାରିୟର୍ସ ଦବଙ୍ଗ ଦିଲ୍ଲୀକୁ ଆଉଥରେ ଅଲ୍‌ ଆଉଟ କରିଦେବା ସହ ୪ ପଏଣ୍ଟ ଅଗ୍ରଣୀ ଲାଭ କରିଥିଲା। ଦିଲ୍ଲୀର ନବୀନ କୁମାର ସୁପର ୧୦ ହାସଲ କରିଥିଲେ ମଧ୍ୟ ତାଙ୍କ ଦଳ ଓ୍ବାରିୟର୍ସ କର୍ନର ଯୋଡ଼ି ରିଙ୍କୁ ନରଓ୍ବାଲ ଏବଂ ବଳଦେବ ସିଂଙ୍କ ଉଚିତ୍‌ ମୁକାବିଲା କରିପାରି ନ ଥିଲେ। ଇତିମଧ୍ୟରେ ଓ୍ବାରିିୟର୍ସ ଦଳ ବିପକ୍ଷ ଦଳକୁ ଆଉ ଥରେ ଅଲଆଉଟ କରିବାରେ ସଫଳ ହୋଇଥିଲା। ଦିଲ୍ଲୀ ଦଳକୁ ପ୍ରତ୍ୟାବର୍ତ୍ତନ କରାଇବା ଲାଗି ନବୀନ କୁମାର ଉଦ୍ୟମ କରିଥିଲେ । ମାତ୍ର ଡିଫେନ୍ସରେ ଯୋଗିନ୍ଦର ନରଓ୍ବାଲ ଏବଂ ରବିନ୍ଦର ପାହାଲ ବାରମ୍ବାର ତ୍ରୁଟି କରିବସିଥିଲେ। ଓ୍ବାରିୟର୍ସ ଦଳର ଡିଫେନ୍ସ ଶେଷ ଭାଗରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଦଳକୁ ଟାଇଟଲ ଜିତାଇଥିଲେ।

Share