Categories: ଖେଳ

ବେଞ୍ଜେମାଙ୍କ ଡବଲ୍‌ ଗୋଲ: ରିୟଲ ମାଡ୍ରିଡ୍‌ ବିଜୟୀ

ମାଡ୍ରିଡ,୧୫।୯(ଏଏଫ୍‌ପି)- ସ୍ପାନିଶ ଲା ଲିଗାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କରିମ ବେଞ୍ଜେମାଙ୍କ ଡବଲ୍‌ ଗୋଲ ସହାୟତାରେ ରିୟଲ ମାଡ୍ରିଡ ୩-୨ ଗୋଲରେ ଲେଭାଣ୍ଟେକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧରେ ୩ଟି ଗୋଲ ଦେଇ ମାଡ୍ରିଡ ୩-୦ରେ ଅଗ୍ରଣୀ ହୋଇଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଲେଭାଣ୍ଟେ ଖେଳାଳି ଚମତ୍କାର ପ୍ରଦର୍ଶନ କରି ମ୍ୟାଚ୍‌କୁ ଫେରିଥିଲେ ଓ ୨ଟି ଗୋଲ ଦେଇଥିଲେ। ମାଡ୍ରିଡ ତରଫରୁ ବେଞ୍ଜେମା ୨୫ ଓ ୩୧ତମ ମିନିଟ୍‌ରେ ଦୁଇଟି ଗୋଲ ଦେଇଥିଲେ। ଏହାପରେ କାସେମିରୋ ୪୦ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ମ୍ୟାଚ୍‌ର ୪୯ତମ ମିନିଟ୍‌ରେ ଲେଭାଣ୍ଟେ ତରଫରୁ ୨୨ ବର୍ଷୀୟ ବୋର୍ଜା ମେରୋଲ ଗୋଲ ଦେଇଥିଲେ। ସେହିପରି ୭୫ତମ ମିନିଟ୍‌ରେ ଗୋଞ୍ଜାଲୋ ମେଲେରୋ ଗୋଲ ଦେଇ ପରାଜୟ ବ୍ୟବଧାନକୁ କମାଇଥିଲେ। ଏଥିସହ ରିୟଲ ମାଡ୍ରିଡ ୪ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ସହ ୨ଟି ଡ୍ର ସହ ୮ ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଆଟଲେଟିକୋ ମାଡ୍ରିଡ୍‌ ୪ଟି ମ୍ୟାଚ୍‌ ଖେଳି ୩ ବିଜୟ ଓ ଗୋଟିଏ ପରାଜୟ ସହ ୯ ପଏଣ୍ଟ ପାଇ ଶୀର୍ଷରେ ରହିଛି।
ଶନିବାର ଖେଳାଯାଇଥିବା ଅନ୍ୟଏକ ମ୍ୟାଚ୍‌ରେ ବାର୍ସିଲୋନା ୫-୨ ଗୋଲରେ ଭାଲେନ୍ସିଆକୁ ହରାଇଛି। ଏଥିସହ ବାର୍ସିଲୋନା ୪ଟି ମ୍ୟାଚ୍‌ ଖେଳି ୨ ବିଜୟ, ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୭ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ବାର୍ସିଲୋନା ତରଫରୁ ୧୬ ବର୍ଷୀୟ ଖେଳାଳି ଅଂଶୁ ଫଟି ଦ୍ୱିତୀୟ, ଫ୍ରେଙ୍କି ଡି ଜୋଙ୍ଗ୍‌ ୫୧, ଲୁଇସ୍‌ ସୁଆରେଜ ୬୧ ଓ ୮୨ତମ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ। ଅନ୍ୟପଟେ ଭାଲେନ୍ସିଆ ତରଫରୁ କେଭିନ୍‌ ଗାମେଇରୋ ୨୭ ଓ ମାରିଓ ଗୋମେଜ ମ୍ୟାଚ୍‌ର ଅନ୍ତିମ ମୁହୂର୍ତ୍ତରେ ଗୋଲ ସ୍କୋର କରିଥିଲେ।

Share