Categories: ମେଟ୍ରୋ

ବେଟିଂ ଆଡ୍ଡାରେ ଚଢ଼ାଉ, ୩ ଗିରଫ

କଟକ ଅଫିସ,୧୭।୭: ଏକ ବେଟିଂ ଆଡ୍ଡାରେ ଚଢାଉ କରି ଦରଘାବଜାର ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ନାରୀସେବା ସଦନ ଅଞ୍ଚଳର ଦିନେଶ ରାଓ(୧୮), ଦରଘାବଜାର ଥାନା ଅନ୍ତର୍ଗତ ବାଉଁଶଗଳି ଅଞ୍ଚଳର ଜି. ନାଗରାଜୁ(୨୮), ଏ. ରବି(୩୦)। ଏମାନଙ୍କ ନିକଟରୁୁ ୧୧ହଜାର ୬୫୦ଟଙ୍କା, ଏକ ଖାତା ଏବଂ ନମ୍ବର ଲେଖାଥିବା ଏକ ବୋର୍ଡ ଜବତ ହୋଇଛି। ଏନେଇ ଥାନାରେ ଏକ ମାମଲା(ନଂ.୫୬/୧୯) ରୁଜୁ ହୋଇଛି। ଅଭିଯୁକ୍ତମାନେ ଲକ୍ଷାଧିକ ଟଙ୍କା କାରବାର ଚଳାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ସୂଚନା ଅନୁଯାୟୀ, ବାଉଁଶଗଳି ଅଞ୍ଚଳରେ ବେଟିଂ ଚାଲିଥିବା ନେଇ ପୋଲିସ ସୂଚନା ପାଇ ସୋମବାର ରାତି ୧୦ଟାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ସେଠାରେ ଉପସ୍ଥିତ ଥିବା ୧୦ରୁ ଅଧିକ ବ୍ୟକ୍ତି ଖସି ପଳାଇଥିବା ବେଳେ ପୋଲିସ ୩ ଅଭିଯୁକ୍ତଙ୍କୁ ଧରିଥିଲା। ପଚରାଉଚରା ପରେ ଜଣାପଡିଥିଲା ଯେ, ସେମାନେ ବିଭିନ୍ନ ନମ୍ବର ଲେଖାଥିବା ଏକ ବୋର୍ଡ ରଖିଥିଲେ। ଲୋକମାନଙ୍କୁ ଉକ୍ତ ବୋର୍ଡରେ ଥିବା ଏକ ନମ୍ବର ଚୟନ କରିବାକୁ କହୁଥିଲେ। ଠିକ୍‌ ନମ୍ବର ଚୟନ କଲେ ଲଗାଇଥିବା ଟଙ୍କାର ଦୁଇ ଗୁଣା ଟଙ୍କା ଲୋକମାନଙ୍କୁ ଦେଉଥିଲେ। ହେଲେ ଭୁଲ୍‌ ନମ୍ବର ଚୟନ କଲେ ସେ ଲଗାଇଥିବା ଟଙ୍କା ଫେରାଯାଉ ନ ଥିଲା। ଏହିପରି ଲୋକଙ୍କୁ ଆକୃଷ୍ଟ କରି ବେଟିଂ କାରବାର ଚଳାଉଥିବା ଅଭିଯୁକ୍ତମାନେ ମାନିଥିବା ପୋଲିସ କହିଛି।

Share