Categories: ଜାତୀୟ

‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ସଫଳତା: ୪ ବର୍ଷରେ ଲିଙ୍ଗ ଅନୁପାତ ହଜାରେ ପିଛା ୯୨୩ରୁ ୯୩୧କୁ ବୃଦ୍ଧି

ନୂଆଦିଲ୍ଲୀ,୨୩।୬: ଗତ ୪ ବର୍ଷ ମଧ୍ୟରେ ଦେଶରେ ଲିଙ୍ଗ ଅନୁପାତ ହଜାରେ ପୁରୁଷଙ୍କ ପିଛା ୯୨୩ରୁ ୯୩୧କୁ ବୃଦ୍ଧି ପାଇଛି। ୨୦୧୫ଠାରୁ ୨୦୧୯ ମଧ୍ୟରେ ଲିଙ୍ଗ ଅନୁପାତରେ ଏଭଳି ବୃଦ୍ଧି ଦୃଷ୍ଟି ଗୋଚର ହୋଇଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ ଉପସ୍ଥାପନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୫-୧୬ରେ ହଜାରେ ପୁରୁଷଙ୍କ ପିଛା ମହିଳା ସଂଖ୍ୟା ୯୨୩ ଥିଲା। ୨୦୧୬-୧୭ରେ ଏହା ୯୨୬ ଏବଂ ୨୦୧୭-୧୮ରେ ଏହା ୯୨୯ ଏବଂ ୨୦୧୮-୧୯ରେ ଏହା ୯୩୧ରେ ପହଞ୍ଚିଛି। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ତଥ୍ୟ ଏହି ରିପୋର୍ଟରେ ପ୍ରକାଶ ପାଇଛି। କେରଳ ଏବଂ ଛତିଶଗଡ଼ ଏହି ତାଲିକାର ଶୀର୍ଷରେ ରହିଛନ୍ତି। ଏଠାରେ ହଜାରେ ପୁରୁଷଙ୍କ ପିଛା ମହିଳା ସଂଖ୍ୟା ୯୫୯ ରହିଛି। ଏହା ପଛକୁ ମିଜୋରାମ୍‌ ଓ ଗୋଆ ରହିଛନ୍ତି। ଏହି ଦୁଇ ରାଜ୍ୟରେ ହଜାରେ ପୁରୁଷଙ୍କ ପିଛା ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୯୫୮ ଏବଂ ୯୫୪ ରହିଛି। ତାଲିକାର ଶେଷରେ ପଞ୍ଜାବ, ଲାକ୍ଷାଦ୍ୱୀପ ଏବଂ ଡାମନ ଓ ଡିୟୁ ରହିଛି। ଏଠାରେ ହଜାରେ ପୁରୁଷଙ୍କ ପିଛା ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୯୦୦, ୮୯୧ ଏବଂ ୮୮୯ ରହିଛି। କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନା ଦ୍ୱାରା ଏହି ସୁଫଳ ମିଳିଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share