ଅନୁଗୋଳ ଅଫିସ, ୧୧।୬- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ରୋଗୀ ଗୁରୁବାର ହଠାତ୍ ବେଡ୍ ଛାଡ଼ି ବଜାରକୁ ଦୌଡ଼ି ପଳାଇବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ତାଙ୍କୁ କାବୁ କରିବା ପରେ କର୍ତ୍ତୃପକ୍ଷ ତୁରନ୍ତ ଡିସ୍ଚାର୍ଜ କରିଦେଇଥିବା ଜଣାପଡ଼ିଛି।
ଅନୁଗୋଳ ମେଡିକାଲରେ ଏପରି ଘଟଣା ନୂଆ ନୁହେଁ। ପୂର୍ବରୁ ଅନେକ ଥର ରୋଗୀ ବେଡ୍ରୁ ଉଠି ଗାଏବ ହୋଇଯିବା ଓ ଏ ନେଇ ଥାନାରେ ଏତଲା ଦେବା ଯାଏ କଥା ଯାଇସାରିଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଷ୍ଣୁ ଚରଣ ଦେହୁରୀ ନାମକ ଜଣେ ରୋଗୀ ଦୁଇ ଦିନ ହେବ ଚିକିତ୍ସିତ ହେଉଥିଲେ। ତାଙ୍କର ଏକ ଛୋଟ ଅସ୍ତ୍ରୋପଚାର କରାଯାଇଥିଲା। ଫଳରେ ଡାକ୍ତର ତାଙ୍କୁ ଅବଜରଭେସନ୍ରେ ରଖିଥିଲେ। କିନ୍ତୁ ଗୁରୁବାର ପୂର୍ବାହ୍ନରେ ସେ ହଠାତ୍ ବେଡ୍ ଛାଡ଼ି ଦୌଡ଼ି ପଳାଇ ଯାଇଥିଲେ। ମେଲ୍ ଓ୍ବାର୍ଡ ବାହାରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀ ଏହା ଦେଖି ତାଙ୍କ ପଛରେ ଧାଇଁଥିଲେ। ବଜାର ମଧ୍ୟରେ ସୁରକ୍ଷା କର୍ମୀ ରୋଗୀଙ୍କୁ ମାଡ଼ି ବସିଥିଲେ ହେଁ ସେ ଧସ୍ତାଧସ୍ତି କରିଥିଲେ। ପରେ ଅଧିକ ସୁରକ୍ଷା କର୍ମୀ ପହଞ୍ଚି ରୋଗୀଙ୍କୁ କାବୁ କରି ମେଡିକାଲକୁ ନେଇଥିଲେ। ଏହି ଘଟଣା ପରେ ମେଡିକାଲ ପକ୍ଷରୁ ସମ୍ପୃକ୍ତ ରୋଗୀଙ୍କୁ ଡିସଚାର୍ଜ କରାଯାଇ ପରିବାର ଲୋକଙ୍କ ଜିମା ଦିଆଯାଇଥିଲା।