ବେଡ୍‌ ପିଛା ୫୦ ଟଙ୍କା ଲାଞ୍ଚ ଅଭିଯୋଗ

ବ୍ରହ୍ମପୁର ଅଫିସ୍‌,୧୩ା୧୨- ପରୀକ୍ଷାଠାରୁ ଚିକିତ୍ସା, ଔଷଧଠାରୁ ଆରମ୍ଭ କରି ରକ୍ତ ପର୍ଯ୍ୟନ୍ତ ସବୁ ମାଗଣା । କିନ୍ତୁ ବେଡ୍‌ ପାଇବାକୁ ହେଲେ ଟଙ୍କା ଦେବାକୁ ପଡ଼ୁଛି । ଏହି ଟଙ୍କା ସରକାରଙ୍କ ତହବିଲ୍‌କୁ ଯାଉନି କିମ୍ବା କୌଣସି ସରକାରୀ ନିର୍ଦ୍ଦେଶ ନୁହେଁ। ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ର କେତେଜଣ କର୍ମଚାରୀ ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି॥ ଥରେ କି ଦୁଇ ଥର ନୁହେଁ, ବାରମ୍ବାର କର୍ମଚାରୀମାନେ ରୋଗୀଙ୍କୁ ଟଙ୍କା ମାଗୁଥିବା ଭିଡ଼ିଓ ଭାଇରାଲ୍‌ ହେଉଛି। ଅଥଚ କର୍ମଚାରୀମାନେ ସୁଧୁରୁ ନାହାନ୍ତି । ମେଡ଼ିକାଲ୍‌ର ଏକ ଭିଡ଼ିଓ ଗତ ଦୁଇ ଦିନ ହେଲା ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡ଼ିଓରୁ ଏହା ମେଡ଼ିସିନ୍‌ ୱାର୍ଡ଼ ଆଉଟ୍‌ଡୋର୍‌ ବୋଲି ଜଣାପଡ଼ିଛି। ଜଣେ ରୋଗୀ ଆଉଟ୍‌ଡୋର୍‌ରେ ଡାକ୍ତରଙ୍କ ପାଖରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଯଦି ଆବଶ୍ୟକ ପଡ଼େ, ତେବେ ଇନ୍‌ଡୋର୍‌ରେ ଆଡମିଶନ୍‌ କରାଯାଏ। ଇନ୍‌ଡୋର୍‌ରେ ବେଡ୍‌ ଯୋଗାଇ ଦେବା ପାଇଁ କର୍ମଚାରୀ ଜଣକ ରୋଗୀ ସମ୍ପର୍କୀୟଙ୍କୁ ୫୦ଟଙ୍କା ମାଗୁଥିବା ଦେଖିବାକୁ ମିଳିଛି। ଟଙ୍କା ମାଗୁଥିବାର ଦୃଶ୍ୟକୁ ଆଉ ଜଣେ ରୋଗୀଙ୍କ ସମ୍ପର୍କୀୟ ମୋବାଇଲ୍‌ ଫୋନରେ ଉତ୍ତୋଳନ କରିଥିଲେ। କର୍ମଚାରୀ ଜଣକ ଏହା ଦେଖି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧମକ ଦେଇଥିଲେ। ଟଙ୍କା ମାଗିଲି ତ କ’ଣ ହେଲା ବୋଲି କର୍ମଚାରୀ ଜଣକ ଓଲଟା ପ୍ରଶ୍ନ କରୁଛନ୍ତି । କେବଳ ଏତିକି ନୁହଁ, ସେଠାରେ ଦାୟିତ୍ୱରେ ଥିବା ନର୍ସ ନୀରବରେ ଏଭଳି ବେଆଇନ୍‌ କାର୍ଯ୍ୟକୁ ସହମତି ପ୍ରକାଶ କରୁଥିବା ଦେଖାଦେଉଛି। ରୋଗୀଙ୍କ ସମ୍ପର୍କୀୟମାନେ ଟଙ୍କା କାରବାର ବିଷୟରେ ନର୍ସଙ୍କୁ ଜଣାଉଥିଲେ ମଧ୍ୟ ସେ କଥାକୁ ସେ ଏଡ଼ାଇଦେବାକୁ ଚେଷ୍ଟା କରୁଛନ୍ତି। ବଡ଼ ମେଡ଼ିକାଲ୍‌ କର୍ତ୍ତୃପକ୍ଷ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି ହୋଇଛି। ଟଙ୍କା ମାଗୁଥିବାର ଏହା ପ୍ରଥମ ଘଟଣା ନୁହଁ। ସ୍ତ୍ରୀ ଓ ପ୍ରସୂତି ବିଭାଗଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଭାଗରେ କର୍ମଚାରୀମାନେ ଟଙ୍କା ମାଗୁଥିବାର ଅନେକ ଭିଡ଼ିଓ ବିଗତ ଦିନରେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି।