ବେତ କାରୁକାର୍ଯ୍ୟରେ ନିପୁଣ ଶିଳ୍ପୀ ସୁଦର୍ଶନ

ସୋର, ୧୭।୧୦(ଡି.ଏନ.ଏ.)- ବେତରେ ବିଭିନ୍ନ ସାମଗ୍ରୀ ତିଆରି କରିବା କଳାକୁ ଜୀବିକା ଭାବେ ଆଦରି ନେଇଛନ୍ତି ଶିଳ୍ପୀ ସୁଦର୍ଶନ ବେହେରା (୪୮)। ନୂତନ ଶୈଳୀରେ ସେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଯୁବପିଢି ଚାକିରି ପଛରେ ନ ଗୋଡ଼ାଇ ପାରମ୍ପରିକ କଳାକୁ ଆଦରି କାର୍ଯ୍ୟ କଲେ ଆତ୍ମନିର୍ଭରଶୀଳ ହୋଇ ପାରିବେ ବୋଲି ସେ କହିଛନ୍ତି।
ଶିଳ୍ପୀ ସୁଦର୍ଶନଙ୍କ ଘର ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ ବାଇନଣ୍ଡା ମଙ୍ଗରାଜପୁର ଗ୍ରାମରେ । ତାଙ୍କ ମାତା ରନିମଣି ବେହେରା ଓ ପିତା ଗୋପାଳ ବେହେରା। ସୁଦର୍ଶନଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା ପରିବାରର ଆର୍ଥିକ ପରିସ୍ଥିତି ଲାଗି ଘର ଛାଡ଼ି କଲିକତାକୁ ପଳାଇ ଯାଇଥିଲେ। ସେଠାକାର କାଦୁପଡ଼ାରେ ଜଣେ ବେତ କାରିଗରଙ୍କ ନିକଟରେ ଦୀର୍ଘ ୫ବର୍ଷ ଧରି ବେତ କାମ ଶିଖିଥିଲେ। ପରେ କଲିକତାରୁୁ ଆସି ନିଜ ଘରେ ରହି ବେତ ଶିଳ୍ପକୁ ଆଗକୁ ବଢାଇବା ଲକ୍ଷ୍ୟରେ ସେ ଏହାକୁ ଜୀବିକା ଭାବେ ଆଦରି ନେଇଥିଲେ। ସ୍ଥାନୀୟ ଅଞ୍ଚଳରେ କଞ୍ଚାମାଲ ଅଭାବ ଯୋଗୁ ସେ କଲିକତା ଯାଇ ବେତ ସଂଗ୍ରହ କରି ଆଣୁଥିଲେ। ପରେ ସେଥିରେ ସୋଫାସେଟଠାରୁ ଆରମ୍ଭ କରି ଡାଇନିଂ ଟେବୁଲ୍‌, ଫୁଲଦାନି, ଚେୟାର, ଟେବୁଲ, ଡ୍ରେସିଂ ଟେବୁଲ୍‌, ଫୁଲଡ଼ାଲା, ପଶୁପକ୍ଷୀ ଚିତ୍ର, ଝୁଲଣା ଆଦି ସାମଗ୍ରୀ ପ୍ରସ୍ତୁତି କରି ନିଜ କଳା ପ୍ରତିଭାର ପରିଚୟ ଦେଇଥିଲେ। ତାଙ୍କ ସାମଗ୍ରୀରେ ନୂତନତାର ଝଲକ ଯୋଗୁ ଗ୍ରାହକଙ୍କ ମହଲରେ ଆଦୃତି ଲାଭ କରିଥିଲା। ଏବେ ବେତର ଅଭାବ ଓ ମୂଲ୍ୟବୃଦ୍ଧି ଏହି ସାମଗ୍ରୀ ପ୍ରସ୍ତୁତିରେ ଅନ୍ତରାୟ ସୃଷ୍ଟି କରୁଛି। ଏହାସତ୍ତ୍ୱେ ସେ ବେତ ସଂଗ୍ରହ କରି ଏହି କଳାକୁ ଉଜ୍ଜୀବିତ ରଖିଛନ୍ତି। ପ୍ରଥମେ ବେତକୁ କାଟି ଛୋଟ ବଡ଼ ବିଭିନ୍ନ ଆକୃତିର କଳାକୃତି ପ୍ରସ୍ତୁତ କରୁଛନ୍ତି। ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଜଣେ ବେତ କାରିଗର ଭାବେ କାର୍ଯ୍ୟ କରି ନିଜ ପରିବାର ଭରଣପୋଷଣରେ ସମର୍ଥ ହୋଇଛନ୍ତି। ବିଭିନ୍ନ ପୂଜା, ମେଳାରେ ସେ ଷ୍ଟଲ ଖୋଲି ନିଜ କଳାକୃତି ପ୍ରଦର୍ଶନ ସହ ବିକ୍ରି କରିଥାନ୍ତି। ବେତ କାରୁକାର୍ଯ୍ୟର ଜଣେ ସଫଳ ଶିଳ୍ପୀ ଭାବେ ପରିଚୟ ହାସଲ କରିଥିବାରୁ ଏହା ତାଙ୍କୁ ଆତ୍ମ ସନ୍ତୋଷ ଦେଇଛି ବୋଲି କହିଛନ୍ତି। ପ୍ରଶାସନ ତଥା ସରକାରୀ ସ୍ତରରେ ଏଭଳି କଳାକୁ ପ୍ରୋତ୍ସାହନ ମିଳିବା ଦରକାର ବୋଲି ସେ କହିଛନ୍ତି।