ବେଦମାତା ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨୭।୧୦ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା’ ଭଦ୍ରକାଳୀଙ୍କ ସପ୍ତ ମାତୃକା ବେଶ ପୂଜା ଉତ୍ସବ ରବିବାରଠାରୁ ଆରମ୍ଭ ହୋଇଛି। ସକାଳେ ପବିତ୍ର ସାଳନ୍ଦୀ ନଦୀର ଆହାରପଦା ଘାଟରୁ ମାନସିକଧାରୀମାନେ ଏକ ପଟୁଆରରେ ଘଟ ଆଣି ମଣ୍ଡପରେ ସ୍ଥାପନ କରିବା ପରେ ପଞ୍ଚଦେବତାଙ୍କର ପୂଜା, ସୂର୍ଯ୍ୟପୂଜା, ଗୁରୁପୂଜା, ଦ୍ୱାରପାଳ ପୂଜା, ମଙ୍ଗଳ ଆଳତି କରାଯାଇ ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହୋଇଥିଲା।
ମା’ ଙ୍କର ବେଦମାତା ବେଶ ଦର୍ଶନ କରିବା ଲାଗି ଭକ୍ତମାନଙ୍କ ଭିଡ଼ ଲାଗିଥିବା ବେଳେ ଏ ନେଇ ମନ୍ଦିର ପ୍ରଶାସନ ତଥା ସେବାୟତମାନଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମା’ ୭ ଦିନରେ ଭିନ୍ନ ଭିନ୍ନ ବେଶରେ ପୂଜା ପାଇବେ । ବିଶ୍ୱଶାନ୍ତି ମହାଯଜ୍ଞ ୭ ଦିନ ଧରି ଚାଲିବା ପରେ ଶେଷ ଦିବସରେ ମା’ ଙ୍କର ମହାଲକ୍ଷ୍ମୀ ବେଶ ଅନୁଷ୍ଠିତ ହୋଇ ଯଜ୍ଞର ପୂର୍ଣ୍ଣାହୁତି ହେବ। ସୋମବାର ମା’ ମହାକାଳୀ ବେଶରେ ପୂଜା ପାଇବେ ।