ବେନାମୀ କୃଷିଋଣରେ ଅର୍ଥ ଆତ୍ମସାତ୍‌ ଅଭିଯୋଗ : ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଭବାନୀପାଟଣା,୧୫ା୬(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଉକତ୍ଳ ଗ୍ରାମୀଣ ବ୍ୟାଙ୍କ ବୋର୍ଡା ଶାଖାରେ ବ୍ୟାଙ୍କ କର୍ମଚାରୀ ଓ ଦଲାଲ ମିଶି ଚାଷୀଙ୍କ ନାଁରେ ବେନାମୀ କୃଷିଋଣ କରି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ଉକତ୍ଳ ଗ୍ରାମୀଣ ବ୍ୟାଙ୍କ ବୋର୍ଡା ଶାଖା ପକ୍ଷରୁ ଅଞ୍ଚଳର ଦୁଧେଲ, କାନ୍ଦୁଲଝର, ଟେପସା, ପଲନା, ବାଲିପାଟି, ଆଜରାଇ, ଅର୍ତ୍ତଲ ଆଦି ଗାଁର ଅନାଦେୟ ଋଣ ଖିଲାପକାରୀ ଚାଷୀଙ୍କୁ ୩୦ ଦିନ ଭିତରେ ଋଣ ପରିଶୋଧ ପାଇଁ ନୋଟିସ ଦିଆଯାଇଥିଲା। ତେବେ ଏଥି ମଧ୍ୟରୁ ଅର୍ଦ୍ଧାଧିକ ଚାଷୀ ଋଣ ପାଇଁ କିପରି ନୋଟିସ ଗଲା ସେ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ବ୍ୟାଙ୍କରେ ପ୍ରାଥମିକ ଯାଞ୍ଚ ପରେ କିଛି ଚାଷୀଙ୍କ ନାଁରେ ଜାଲ ଦସ୍ତଖତ କରି ଋଣ ଉଠାଯାଇଥିବା ବେଳେ କିଛି ଚାଷୀଙ୍କ ନାଁରେ ଅନ୍ୟ ବ୍ୟକ୍ତିଙ୍କ ଫଟୋ ଓ ନକଲି ଭୋଟର ପରିଚୟପତ୍ର ଦେଇ ଋଣ ଟଙ୍କା ଉଠା ଯାଇଛି। ଏପରିକି କିଛି ଚାଷୀଙ୍କ ନକଲି ଆର୍‌ଓଆର୍‌, ମାଲଗୁଜାରୀ ରସିଦ ଓ ଟିପ ଚିହ୍ନ ଦେଇ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏନଇ ଅଞ୍ଚଳର ଚାଷୀ ଜଗତ ମାଝୀ, ଖୁଟୁଲୁ ମାଝୀ, ମାଧବ ମାଝୀ, ଉର୍ବଶୀ ମାଝୀ, ସାଧନୀ ମାଝୀ, ରୁଖ ମାଝୀଙ୍କ ସମେତ ଅନେକ ଚାଷୀ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରାଯାଇଥିବା ନେଇ ଉକତ୍ଳ ଗ୍ରାମୀଣ ବ୍ୟାଙ୍କ ବୋର୍ଡା ଶାଖା ପରିଚାଳକ ଜରିଆରେ ୟୁଜିବି ମୁଖ୍ୟ ମହାପ୍ରବନ୍ଧକଙ୍କୁ ଜଣାଇଥିଲେ। ହେଲେ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଏହି ଋଣ ଟଙ୍କା ଆତ୍ମସାତ୍‌ ଘଟଣାରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ଅଞ୍ଚଳର ଜଣେ ବ୍ୟାଙ୍କ ଦଲାଲଙ୍କ ହାତ ଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଆହୁରି ଅନେକ ତଥ୍ୟ ପର୍ଦ୍ଦାଫାସ ହେବ ବୋଲି ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବୋର୍ଡା ଉକତ୍ଳ ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ଶେଷଦେବ ସାହୁଙ୍କୁ ପଚାରିବାରୁ ଘଟଣାର କିଛି ସତ୍ୟତା ଥିବା ଏବଂ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା କହିଛନ୍ତି। ତଦନ୍ତ ହେଲେ ସବୁ ଜଣାପଡ଼ିବ ବୋଲି ସେ କହିଛନ୍ତି।