Categories: ଫୁରସତ

ବେନାମୀ ରେଳଷ୍ଟେଶନ

ଭାରତୀୟ ରେଳ ଏସିଆ ମହାଦେଶର ଦ୍ୱିତୀୟ ନେଟ୍‌ଓ୍ବାର୍କ ହୋଇଥିବା ବେଳେ ଏଠାରେ ପ୍ରାୟ ୮୦୦୦ ରେଳଷ୍ଟେଶନ ରହିଛି। କେତେକ ରେଳଷ୍ଟେଶନ ସ୍ବତନ୍ତ୍ରତା ଦୃଷ୍ଟିରୁ ବେଶ୍‌ ଜଣାଶୁଣା। ପ୍ରାୟ ସମସ୍ତ ରେଳଷ୍ଟେଶନର ନାଁ ରହିଥିବାରୁ ଯାତ୍ରୀମାନେ ନିଜ ନିଜର ଗନ୍ତବ୍ୟସ୍ଥଳରେ ଓହ୍ଲାଇବା ସହଜ ହୋଇଥାଏ। ମାତ୍ର ଏମିତି ଏକ ରେଳଷ୍ଟେଶନ ରହିଛି, ଯାହାର ନାଁ ନାହିଁ। ଏପରି ବେନାମୀ ରେଳଷ୍ଟେଶନ ପଶ୍ଚିମବଙ୍ଗରେ ରହିଛି। ବର୍ଦ୍ଧମାନଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଏହା ଅବସ୍ଥିତ। ବାଙ୍କୁରା-ମୈସଗ୍ରାମ ରେଳ ଲାଇନ୍‌ରେ ଥିବା ଏହି ଷ୍ଟେଶନଟି ଦୁଇଟି ଗାଁ ରାଣା ଏବଂ ରାଣାଗଡ଼ ମଧ୍ୟରେ ପଡ଼ିଥାଏ। ଆରମ୍ଭରେ ଏହି ଷ୍ଟେଶନ ରାଣାଗଡ଼ ଭାବରେ ଜଣାଶୁଣା ଥିଲା। କିନ୍ତୁ ରାଣା ଗାଁର ଲୋକଙ୍କୁ ଏହା ପସନ୍ଦ ଆସିଲା ନାହିଁ।

ଏହି ଷ୍ଟେଶନର ବିଲ୍ଡିଂ ନିର୍ମାଣ ରାଣା ଗାଁରେ ହୋଇଥିବାରୁ ଗ୍ରାମବାସୀ ରାଣାଗଡ଼କୁ ବିରୋଧ କରୁଥିଲେ। ସେମାନେ ଚାହୁଁଥିଲେ ରାଣା ନାମରେ ଷ୍ଟେଶନଟି ପରିଚିତି ଲାଭ କରୁ। ତେଣୁ ଏହି କଥାକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଫଳରେ ବିବାଦ ନ ତୁଟିବାରୁ ଏହା ରେଲ୍‌ଓ୍ବେ ବୋର୍ଡ ନିକଟରେ ପହଞ୍ଚିଲା। ପରେ ଭାରତୀୟ ରେଳ ବିଭାଗ ପକ୍ଷରୁ ସାଇନ୍‌ ବୋର୍ଡରୁ ସମସ୍ତ ନାଁ ହଟାଇ ଦିଆଗଲା। କେବଳ ବୋର୍ଡ ରହିଛି। କୌଣସି ସୂଚନା ନାହିଁ। ଫଳସ୍ବରୂପ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କିନ୍ତୁ ଟିକେଟ ରାଣାଗଡ଼ ପର୍ଯ୍ୟନ୍ତ କଟାଯାଉଛି।

Share